ଜୁଲାଇ ପ୍ରଥମ ସପ୍ତାହରେ ଉପକୂଳରେ କମ୍ ବର୍ଷା! ୩ ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ୬ରୁ ୮ ତାରିଖ ଭିତରେ ସ୍ୱଳ୍ପ ବର୍ଷା ସମ୍ଭାବନା

1,747

କନକ ବ୍ୟୁରୋ: ଜୁନ୍ ଭଳି ଜୁଲାଇ ପ୍ରଥମ ସପ୍ତାହରେ ଉପକୂଳରେ ନିଅଣ୍ଟିଆ ବର୍ଷା ହେବ। ଜୁନରେ ଉପକୂଳ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହୋଇଥିଲା। ଏବେ ଜୁଲାଇ ଆରମ୍ଭରୁ ତିନି ଦିନ କମ୍ ବର୍ଷା ହୋଇଛି। ତେବେ ଏ ସପ୍ତାହରେ ଉପକୂଳରେ ବର୍ଷା କମ୍ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍ ବିଶ୍ୱାସ କହିଛନ୍ତି ଯେ ଜୁନ୍ ମାସରେ କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତ୍ସିଂହପୁର, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବା ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ତେବେ ଜୁଲାଇ ପ୍ରଥମ ସପ୍ତାହରେ ମଧ୍ୟ ବେଶି ବର୍ଷା ହେବାର ସମ୍ଭାବନା ନାହିଁ। କେବଳ ଜଗତ୍ସିଂହପୁର ଓ କଟକ ଜିଲ୍ଲାର କିଛି ସ୍ଥାନକୁ ଛାଡ଼ି ଦେଲେ ବାକି ଉପକୂଳ ଜିଲ୍ଲାଗୁଡ଼ିକରେ ନିଅଣ୍ଟିଆ ବର୍ଷା ହେବ ବୋଲି ସେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଜୁଲାଇରେ ଧାନବୁଣା ବେଉସା ହୋଇଥାଏ। ତେଣୁ ଏ ମାସର ବର୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ଜୁଲାଇରେ ସମୁଦାୟ ବର୍ଷା ପ୍ରାୟ ୩୨୦ମିମି ଅର୍ଥାତ୍ ସପ୍ତାହକୁ ହାରାହାରି ୮୦ ମିମି ବର୍ଷା ହୋଇଥାଏ। କିନ୍ତୁ ବର୍ତ୍ତମାନ ଅନୁମାନ କରାଯାଉଛି ଯେ ଉପକୂଳ ଓଡ଼ିଶାରେ କମ୍ ବର୍ଷା ହେବ। ଗଞ୍ଜାମଠାରୁ ଭଦ୍ରକ ପର୍ଯ୍ୟନ୍ତ ଜିଲ୍ଲାମାନଙ୍କରେ ୪୦ରୁ ୫୦ ପ୍ରତିଶତ ବର୍ଷା କମିପାରେ। ସେହିପରି ଢେଙ୍କାନାଳ, ସମ୍ବଲପୁର ଓ ବଲାଙ୍ଗୀରରେ ୨୦ରୁ ୨୫ ପ୍ରତିଶତ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ବାଦ୍ ଦେଲେ ରାଜ୍ୟର କିଛି ଅଞ୍ଚଳରେ ସ୍ବାଭାବିକ ଓ କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ।

ଅପରପକ୍ଷେ ଭୁବନେଶ୍ୱର ସମେତ ଅଧିକାଂଶ ଅଞ୍ଚଳରେ ଜୁଲାଇ ୫ ଓ ୬ରେ ହାଲୁକାରୁ ସ୍ୱଳ୍ପ, ୭ ଓ ୮ରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୪ରୁ ୯ ତାରିଖ ଭିତରେ ପ୍ରତ୍ୟେକ ଦିନ ହାଲକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ତେବେ ଉତ୍ତର ପଶ୍ଚିମ ଓଡ଼ିଶାରେ ୩ରୁ ୫ ତାରିଖ ଭିତରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ତେବେ ମୟୂରଭଞ୍ଜ, ଦେବଗଡ଼ ଓ ଝାରସୁଗୁଡ଼ାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ୬ରୁ ୮ ତାରିଖ ଭିତରେ ବର୍ଷା ସ୍ୱଳ୍ପ ରହିବ। ଜୁଲାଇ ୫ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ମୌସୁମୀ ଟ୍ରଫ୍ ପ୍ରାୟତଃ ସ୍ୱଭାବିକ ସ୍ଥାନରେ ରହିଛି। ଟ୍ରଫ ଭିତରେ ଏକ ଘୂର୍ଣ୍ଣିବଳୟ ଅନ୍ତର୍ନିହିତ ରହିବା ଯୋଗୁଁ ୫ରୁ ୭ ଭିତରେ ବର୍ଷାର ଆକଳନ କରାଯାଉଛି। ଭୁବନେଶ୍ୱର ସମେତ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାଭିକଠାରୁ ୨ ଡିଗ୍ରି ସେଲ୍ସିୟସ୍ ଅଧିକ ରହିବ। ତା’ ପର ସପ୍ତାହରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ।