ଆଜିଠୁ କମିବ ଦିନର ତାପମାତ୍ରା । ଉତ୍ତର ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା । ଆଗାମୀ ୬ ଦିନ ଯାଏଁ ରହିବ ମେଘୁଆ ପାଗ ।

294

କନକ ବ୍ୟୁରୋ: ଆଜିଠୁ କମିବ ଦିନ ତାପମାତ୍ରା । ମାଘରେ ଗ୍ରୀଷ୍ମ ଅନୁଭୁତିରୁ କିଛି ମାତ୍ରାରେ ଅଶ୍ୱସ୍ତି ମିଳିବ । ସମୁଦ୍ରିକ ବାୟୁ ଚଳାଚଳରେ ପରିବର୍ତନ ହୋଇଛି । ସମୁଦ୍ର ଆଡୁ ୧୨ରୁ ୧୫ କିଲୋମିଟର ବେଗରେ ପବନ ବହୁଥିବାରୁ ତାପମାତ୍ରା କିଛି ମାତ୍ରାରେ ନିୟନ୍ତ୍ରଣ ହୋଇପାରିଛି । ସେପଟେ ଗତକାଲି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି ।

ଆଜି ଉତ୍ତର ଉପକୂଳ କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭଂଜ ଜିଲ୍ଲା ସମେତ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବାର ଆଶଙ୍କ ରହିଛି । ଆଜି ଅପେକ୍ଷା ଆସନ୍ତାକାଲି ବର୍ଷାର ପରିମାଣ ବଢିବ । ପ୍ରାୟ ୬ ଦିନ ଯାଏଁ ବର୍ଷା ଲାଗି ରହିବ । ମେଘୁଆ ପାଗ ଯୋଗୁଁ ଦିନର ତାପମାତ୍ରା କମିବାର ଆଶଙ୍କା ରହିଛି । ଗତକାଲି ସୁବର୍ଣ୍ଣପୁରରେ ସର୍ବୋଚ୍ଚ ତାପମାତ୍ରା ୩୬ ଦଶମିକ ୩ ଡିଗ୍୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ୩୬.୨ ଡିଗ୍ରୀ ସହ ଦ୍ୱିତୀୟ ସ୍ଥାନର ରହିଥିଲା ତାଳଚେର, ଭୁବନେଶ୍ୱର । ୫ଟି ସହରରେ ୩୫ ଡିଗ୍ରୀ ଉପରେ ଥିଲା ପାରଦ ।