ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଅବପାତ । ସନ୍ଧ୍ୟା ସୁଦ୍ଧା ଅତିକ୍ରମ କରିବ ଦକ୍ଷିଣ ଆନ୍ଧ୍ରପ୍ରଦେଶ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ।

227

କନକ ବ୍ୟୁରୋ : ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଏହା ଦକ୍ଷିଣ ପୂର୍ବ ଚେନ୍ନାଇଠାରୁ ୧୪୦ କିଲୋମିଟର ଦୂରରେ ରହିଛି । ଆଜି ସଂଧ୍ୟା ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ଅତିକ୍ରମ କରିବ । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ଏବଂ ବର୍ଷା ଆରମ୍ଭ ହୋଇଯାଇଛି । ଚେନ୍ନାଇ କୋଡାମ୍ବକମ୍ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ ଗଛ ଭାଙ୍ଗି ଯାଇଛି । ଏହାର ପ୍ରଭାବରେ ଏଯାବତ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଗଛ ପଡି ରାସ୍ତା ଅବରୋଧ ହୋଇଛି । ଏଥିପାଇଁ ଜନ ଜୀବନ ପ୍ରଭାବିତ ହୋଇଛି ।

ପ୍ରଶାସନ ପକ୍ଷରୁ ଗଛ କାଟି ରାସ୍ତା ସଫା କରାଯାଉଛି । ଦକ୍ଷିଣ ଚେନ୍ନାଇରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଦମକଳ ବାହିନୀର ୧୫୦ରୁ ଅଧିକ କର୍ମଚାରୀ ରେସ୍କ୍ୟୁ  ଅପରେସନରେ ସାମିଲ ହୋଇଛନ୍ତି । ପବନର ପ୍ରଭାବ ଅଧିକ ଥିବାରୁ ସଂଧ୍ୟା ୬ଟା ଯାଏଁ ଚେନ୍ନାଇ ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି ।

ଏପଟେ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ରହିଛି । ଏହା ସହ ଦକ୍ଷିଣ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସମ୍ଭାବନା ରହିଛି ।

ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେବେ ବଙ୍ଗୋପସାଗରରେ ଦେଖାଦେଇଥିବା ଅବପାତର ପ୍ରଭାବ ଓଡ଼ିଶା ଉପରେ ସେତେଟା ରହିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ସେପଟେ ଆଣ୍ଡାମାନ ସାଗରରେ ଆଗାମୀ ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତି ୪୮ ଘଣ୍ଟାରେ ପଶ୍ଚିମ ଓ ଉତରପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।