ଲଘୁଚାପର ରୂପ ନେଉଛି ବଙ୍ଗୋପସାଗରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ: ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା; ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

920

କନକ ବ୍ୟୁରୋ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ ଲଘୁଚାପର ରୂପ ନେବ ଓ ଉତରପଶ୍ଚିମ ଦିଗରେ ଗତି କରିବ ବୋଲି ସୂଚନା ଦେଇଛି ଆଇଏମଡି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖଇ ସର୍ତକ ରହିବାକୁ ଜିଲ୍ଲାପାଳମାନଙ୍କୁ ଏକ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ଚିଠିରେ କୁହାଯାଇଛି । ଏବଂ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି । ଏଥିସହ ବୃଷ୍ଟିପାତର ପରିମାଣ ସମ୍ପର୍କରେ ରିପୋର୍ଟ କରିବାକୁ କୁହାଯାଇଛି । ତେବେ ଏହି ଲଘୁଚାପ ବାତ୍ୟାରେ ପରିବର୍ତନ ହେବାର ଆଶଙ୍କା କମ ରହିଛି ବୋଲି ପାଣିପାଗ ବିଭାଗ କହିଛି ।

ସେପଟେ ବଜ୍ରାଘାତ ନେଲା ୮ ଜୀବନ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଆକାଶରେ କଳାହାଣ୍ଡିଆ ମେଘ ମାଡି ଆସିବା ସହ ଖୁବ୍ ଯୋରରେ ବଜ୍ରାଘତ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବାରଡାଙ୍ଗ ଗାଁର ସରୋଜ ଜେନାଙ୍କ ମୃତ୍ୟୁ ହୋଇଛି । ସରୋଜ ଜମିକୁ ଧାନ ବୁଣିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଜଗତସିଂହପୁରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝରରେ ଜଣଙ୍କ ପ୍ରାଣ ଯାଇଛି । କଟକ ଟାଙ୍ଗୀରେ ୨ ଜଣ ଓ ଢେଙ୍କାନାଳ ସଦର ଥାନା ଅଂଚଳରେ ୨ ଜଣଙ୍କ ଜୀବନ ନେଇଛି ବଜ୍ରାଘାତ । ଦେବଗଡ ବାଘମାରୀ ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରାଘାତରେ ଜୀବନ ଯିବା ପରେ ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି । ସେହିଭଳି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମ୍ବପାଣି ଗାଁରେ ଗୃହପାଳିତ ପଶୁଙ୍କ ଜୀବନ ଯାଇଛି ।

ସେହିଭଳି ଦିନେ କି ଦୁଇ ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ । ଏଭଳି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି, ପାଗ ଅନୁକୂଳ ଥିବାରୁ ମୌସୁମୀ ଠିକ୍ ସମୟରେ ଓଡିଶା ଛୁଇଁବାର ସମ୍ଭାବନା ଅଧିକ ରହିଛି । ମୌସୁମୀ କେରଳ ଛୁଇଁବା ପରେ ଏହା ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଓଡିଶା ଛୁଇଁବ ବୋଲି ପୂର୍ବରୁ ଆକଳନ କରାଯାଉଥିଲା । ଏବଂ ଆକଳନ ଅନୁଯାୟୀ ମୌସୁମୀ ଓଡିଶାରେ ପହଁଚିବ ବୋଲି କୁହାଯାଉଛି ।