ବେହାଲ କଲା ଅଦିନିଆ ବର୍ଷା । ଭୁବନେଶ୍ୱରରେ ଭାସିଲା କାର୍, ଭିଜିଲା ପଶ୍ଚିମ ଓ ଉପକୂଳ ଓଡ଼ିଶା ।

213

କନକ ବ୍ୟୁରୋ : ବର୍ଷାରେ ଭିଜିଲା ଓଡ଼ିଶା । ଅଦିନିଆ ବର୍ଷାରେ ବେହାଲ ହୋଇଛି ରାଜଧାନୀ ସମେତ ପଶ୍ଚିମ ଓ ଉପକୂଳ ଓଡିଶା । ବର୍ଷାର ପ୍ରଭାବରେ ରାଜଧାନୀ ଇସ୍କନ ମନ୍ଦିର ଆଗରେ କାର ଭାସିଥିବା ବେଳେ କମିଶନରେଟ ପୁଲିସ ଅଫିସ ଆଗରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାଡୁଥିଲା । ଚାନ୍ଦବାଲିରେ ସର୍ବାଧିକ ୧୦ ଦଶମିକ ଦୁଇ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୦ ମିଲିମିଟର ଏବଂ କଟକରେ ୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଆଜି ଅପରାହ୍ନରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଥିଲା ପଶ୍ଚିମା ଝଡ ସହ ଜଡିତ ମେଘ ଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବ । ଆଭ୍ୟନ୍ତରୀଣରୁ ଉପକୂଳ ଓଡିଶାର କିଛି କିଛି ସ୍ଥାନରେ ଅଳ୍ପ କିଛି ଘଣ୍ଟା ମଧ୍ୟରେ ବିଜୁଳି-ଘଡଘଡି ସହ ବର୍ଷା ହେବ । ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ କିଛି ସ୍ଥାନରେ ଏବଂ ଦକ୍ଷିଣ ଉପକୂଳ ଓଡିଶାର ଜିଲ୍ଲା ଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଥିବା ଆକଳନ କରିଥିଲା ପାଣିପାଗ କେନ୍ଦ୍ର ।