ବଦଳିଲା ପାଗ…ଉପକୂଳ ଅଂଚଳରେ କୋହଲା ପାଗ ସାଙ୍ଗକୁ ବର୍ଷା । ଆସନ୍ତା ଦୁଇଦିନ ମଧ୍ୟରେ ଏହିସବୁ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କଲା ପାଣିପାଗ ବିଭାଗ

860

କନକ ବ୍ୟୁରୋ: ରାଜ୍ୟରେ ବଦଳିଲା ପାଗ । ଉପକୂଳ ଓଡିଶାରେ ଆଜି କେତେକ ସ୍ଥାନରେ ବର୍ଷା ସଂଭାବନା ରହିଛି । ଆସନ୍ତା ଦୁଇ ଦିନ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ଏପରି ପୂର୍ବାନୁମାନ କରିଛି ଭୂବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ସବୁ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିପାରେ । ତଥାପି ଦିନ ତମାମ କୋହଲା ପାଗ ଲାଗି ରହିବ ।

ଉପକୂଳ ଓ ଉତର ଓଡିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ସତର୍କତା ଜାରି ହୋଇଛି । ଆସନ୍ତାକାଲି ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ସୋନପୁର , ଅନୁଗୁଳ, ନୟାଗଡ, କଟକ, ଦେବଗଡ, ସୁନ୍ଦରଗଡ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହିତ ବର୍ଷା ହୋଇପାରେ । ୬ ତାରିଖ ପୂର୍ବାହ୍ନ ଯାଏଁ ଉପକୂଳ ଓଡିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।