ଦିନରେ ତାତିଲା, ସନ୍ଧ୍ୟାରେ ଭିଜିଲା: ନୂଆପଡା, ଗଂଜାମର ଆସ୍କା ଓ ଗଜପତିର ମୋହନାରେ କାଳବୈଶାଖୀ ବର୍ଷା

275

କନକ ବ୍ୟୁରୋ: ଆଜି ସାରା ଦିନର ଅସହ୍ୟ ତାତି ପରେ ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଘୂଣ୍ଣ ର୍ିଝଡ ସହ କୁଆପଥର ମାଡ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଜାମ ହୋଇଯାଇଛି । ଗଛ ପଡି ଘର ଛାତ ଭାଙ୍ଗି ବ୍ୟାପକ କ୍ଷୟି କ୍ଷତି ହୋଇ ଖବର ମିଳିଛି । ବିଶେଷ କରି ଜିଲ୍ଲାର ଖଡିଆଳ, ବୋଡେନ, ସିନାପାଲି ଅଂଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଖଡିଆଳ ସହ ସ୍ଥିତ ୧୧ ନଂବର ୱାର୍ଡରେ ଇଲେକ୍ଟ୍ରି ଟ୍ରାନସଫର୍ମର ପାଖ ପୁରୁଣା ଗଛ ଉପଡି ପଡିବାରୁ ବିଦ୍ୟୁତ ସରବରହା ବନ୍ଦ ରହିଛି । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ଗଛ ହଟାଇ ରାସ୍ତା ସଫା କରିବା କାମ ଆରମ୍ଭ କରିଛନ୍ତି । ଗ୍ରୀଷ୍ମ ପ୍ରବାହରେ ଲୋକ କଳବଳ ହେଉଥିବା ହଠାତ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିଦେଇଛି ।

ଗଂଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ମଂଟାପଡା ଗାଁରେ କାଳବୈଶାଖୀ ବର୍ଷା । ଏହି ସମୟରେ ବଜ୍ରପାତ ହେବାରୁ ମଂଟାପଡା ଗାଁର ଜଣେ ଗୁରତର ଆହତ ହୋଇଛନ୍ତି । ଅପରାହ୍ନ ୩ଟା ବେଳେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ୫୫ ବର୍ଷ ବୟସ୍କ ବ୍ୟକ୍ତି ଆହତ ହୋଇଥିବା ଖବର ମିଳିଛି । ଗୁରୁତର ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଗଜପତି ଜିଲ୍ଲାରେ କାଳବୈଶାଖୀ ବର୍ଷାରେ ଅଘଟଣ । ମୋହନା ବ୍ଲକ ଛେଲିଗଡ ଗ୍ରାମ ନିକଟରେ କାଳବୈଶାଖୀ ଜନିତ ପବନ ମାଡରେ ଗଛ ଉପୁଡି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ରାସ୍ତା ଉପରେ ଆସୁଥିବା ଜଣେ ବାଇକ ଆରୋହୀଙ୍କ ଉପରେ ଗଛ ପଡିଯାଇଥିଲା । ବାଇକରେ ଥିବା ତିନି ଜଣ ଯୁବକ ଗଛ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଦୁଇ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଛେଲିଗଡ ମେଡିକାଲରେ ଭର୍ତି କରିଛନ୍ତି ।