କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଂଟା ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶା, ଉତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି ଜିଲ୍ଲାରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି । ଆଜି ମଧ୍ୟ ଦିନ ତମାମ ବର୍ଷା ଲାଗି ରହିଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଗତକାଲି ଜିଲ୍ଲାର ଚିତ୍ରକୋଣ୍ଡାରେ ସର୍ବାଧିକ ୧୧୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଖଇରପୁଟ ବ୍ଲକରେ ୬୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

Advertisment

ପାହାଡ଼ରୁ ଧସୁଛି ପଥର । ରେଳ ଧାରଣାରେ ବହୁଛି ପାଣି । ବର୍ଷା ଯୋଗୁଁ କୋରାପୁଟ, ରାୟଗଡ଼ା ରେଳପଥରେ ବନ୍ଦ ରହିଛି ଟ୍ରେନ୍ ଚଳାଚଳ । ସେହିପରି ରାଉଳି ଓ ଲିଲିଗୁମା ରେଳପଥରେ ମଧ୍ୟ ମାଟି ଅତଡ଼ା ଧସେଇ ପଶିବାରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଏହାଫଳରେ ବିଶାଖାପାଟଣା-କୋରାପୁଟ ଏବଂ କୋରାପୁଟ-ବିଶାଖାପାଟଣା ଡିଏମୟୁ ବାତିଲ ହୋଇଛି । ତେବେ ଖବର ପାଇ ରେଳ ବିଭାଗ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ବ୍ଲକ ଅଫିସରେ ବର୍ଷା ପାଣି । କୋରାପୁଟ ଜିଲ୍ଲାରେ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଗମନାଗମନ ପ୍ରଭାବିତ ହୋଇଛି । ସରକାରୀ ଅଫିସରେ ବର୍ଷା ପାଣି ପଶିଯାଇଛି । ଶିମିଳିଗୁଡା ବ୍ଲକ କାର୍ଯ୍ୟାଳୟରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ବର୍ଷା ପାଣି ଯୋଗୁଁ ବ୍ଲକକୁ ଆସୁଥିବା କର୍ମଚାରୀ ଓ ସଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କଳାହାଣ୍ଡି ଜିଲ୍ଲାରେ ବର୍ଷା ବେଳେ ଅଘଟଣ । ଲଗାଣ ବର୍ଷା ଯୋଗଁ ଭୁଶୁଡି ପଡିଲା ଘର । ଭଙ୍ଗା ଘର ତଳେ ଚାପି ହୋଇଗଲେ ମହିଳା । ୪୦ ମିନିଟ୍ ପରେ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ଅପରାହ୍ଣରେ ଏହି ଅଘଟଣ ଘଟିଛି । କଳାହାଣ୍ଡି ଲାଂଜିଗଡ ବ୍ଲକ ହରେକୃଷ୍ଣପୁର ଗାଁର ବନିତା ପରାଭୋଇ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ଉପରେ ଘରଟି ସଂପୂର୍ଣ୍ଣ ଭାଙ୍ଗି ପଡିଥିଲା । ଘରଟି ଭାଙ୍ଗି ପଡିବା ପରେ ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ପ୍ରାୟ ୪୦ ମିନିଟ ପରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆମ୍ବୁଲାନ୍ସରେ ପ୍ରଥମେ ଲାଂଜିଗଡ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଏହାପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ବନିତାଙ୍କ ମୃତ୍ୟୁ ହୋଇଛି ।