ଲଗାଣ ବର୍ଷାରେ ବେହାଲ ଓଡିଶା : ବର୍ଷା ପାଣି ସୃଷ୍ଟି କରିଛି ଜଳାଶୟର ଭ୍ରମ

39

କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ଓଡିଶା । ବର୍ଷ ପାଣି ସୃଷ୍ଟି କରିଛି ଜଳାଶୟର ଭ୍ରମ । କେଉଁଠି ରାସ୍ତା ଉପରେ ଅଣ୍ଠୁଏ ଉଚ୍ଚର ପାଣି ଛିଡା ହୋଇଛି ତ ଆଉ କେଉଁଠି ଲହଡି ଭାଙ୍ଗୁଛି । ଫଳରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଏପରିକି କେତେକ ସ୍ଥାନରେ ଜଳବନ୍ଦୀ ଘେରରେ ହଜାର ହଜାର ଲୋକ ଫଶି ରହିଛନ୍ତି ।

ପୁରୀ ଲୋକନାଥ ମନ୍ଦିର-
୩ ଦିନ ଧରି ଲଗାଣ ବର୍ଷାରେ ପୁରୀ ବେହାଲ । ବଡଦାଣ୍ଡରେ ବର୍ଷା ପାଣି ସହ ନାଳ ପାଣି ଲହଡ଼ି ମାରୁଛି । ସେପଟେ ଲୋକନାଥ ମନ୍ଦିରରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ମନ୍ଦିର ପରିସରରେ ଥିବା ପାର୍ବତୀ ସାଗରର ପାଚେରୀ ଭୁଷୁଡି ପଡିଛି । ଫଳରେ ପାଣି ଭିତରେ ପଶି ଭକ୍ତ ଠାକୁରଙ୍କ ଦର୍ଶନ କରୁଛନ୍ତି । ଟିକିଏ ବର୍ଷାହେଲେ ବାରମ୍ବାର ଲୋକନାଥ ମନ୍ଦିରରେ ପାଣି ପଶିଥାଏ । ଏହାକୁ ନେଇ ମନ୍ଦିର ଟ୍ରଷ୍ଟ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ରାୟଗଡ଼ା-
ଲଗାଣ ବର୍ଷା ଯୋଗୁଁ ରାୟଗଡା ଚନ୍ଦ୍ରପୁର ବ୍ଲକର ବନ୍ଦ୍ରି ଓ କୁମ୍ଭାରପଦା ଗାଁର ଲୋକ ପାଣିଘେରରେ ଅଛନ୍ତି । ନିକଟସ୍ଥ ଏକ ନାଳ ଉପରେ ୨ ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଚନ୍ଦ୍ରପୁର-ବନ୍ଦ୍ରି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଉଦଳା-
ସେହପରି ମୟୁରଭଂଜ ଉଦଳାରେ ମଧ୍ୟ ବର୍ଷା ଜାରି ରହିଛି । ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଉଦଳା ଦେଓନଦୀରେ ଜଳସ୍ତର ବଢିଛି । ଉଦଳା ସୁନାପାଳ ଛକ ନିକଟରେ ଥିବା ଦେଓନଦୀ ଅସ୍ଥାୟୀ ପୋଲ ଉପରେ ୪ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଫଳରେ ଉଦଳା ବାରିପଦା ୧୯ନମ୍ବର ରାଜ୍ୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବାଲେଶ୍ୱର-
ବାଲେଶ୍ୱରରେ ମଧ୍ୟ ସମାନ ପରିସ୍ଥିତ ସୃଷ୍ଟି ହୋଇଛି । ବାଲେଶ୍ୱର ସହରର ନୂଆସାହି ଜଳାର୍ଣ୍ଣବ ହୋଇଯାଇଛି । ରାସ୍ତା ଉପରେ ପାଣି ଜମି ରହିଛି । ଫଳରେ ଲୋକଙ୍କ ଗମନାଗମନ ବିଶେଷ ଭାବେ ପ୍ରଭାବିତ ହୋଇଛି । ରେମୁଣାରେ କାଂଥ ଭୁଷୁଡି ଗୋଟିଏ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଦିଗପହଣ୍ଡି

ଅବପାତ ଜନିତ ଲଗାଣ ବର୍ଷା ଯୋଗୁଁ ଗଂଜାମ ଜିଲ୍ଲା ଦିଗପହଣ୍ଡିର ଖମ୍ବାରୀଗାଁ ନିକଟରେ ଥିବା ଘୋଡାହାଡ ଡ୍ୟାମରେ ଜଳ ସ୍ଥର ବୃଦ୍ଧି ପାଇଛି । ଏହା ବିପଦ ସଙ୍କେତ ଛୁଇଁଥିବା ବେଳେ ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଘୋଡାହାଡ ଡ୍ୟାମର ତଳମୁଣ୍ଡରେ ରହିଥିବା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ଦୁଇଟି ବ୍ଳକର ୪୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଫଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ଲୋକେ ଆତଙ୍କିତ ହୋଇ ରହିଛନ୍ତି ।