କାଳବୈଶାଖୀ ପ୍ରଭାବରେ ବର୍ଷା । ଦୁଇ ଦିନର ଅସମ୍ଭାଳ ତାତିରୁ ସାମୟିକ ଆଶ୍ୱସ୍ତି । ବଜ୍ରପାତ ଘଟି ୩ ଜଣ ଗୁରୁତର

619

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ପ୍ରଭାବରେ ଆରମ୍ଭ ହୋଇଛି ବର୍ଷା । ଫଳରେ ଦୁଇ ଦିନର ଅସମ୍ଭାଳ ତାତିରୁ ସାମୟିକ ଆଶ୍ୱସ୍ତି ମିଳିଛି । ଆଜି ଦିନ ତମାମ ଆକାଶ ମେଘୁଆ ଥିବା ବେଳେ ସଂଧ୍ୟାରେ ଘଡ଼ଘଡ଼ି ସହ ହୋଇଛି ବର୍ଷା ।

ତେବେ କିଛି ଦିନର ଅସହ୍ୟ ଗ୍ରୀଷ୍ମପ୍ରବାହ ପରେ ଆଜି ରାଜ୍ୟର କିଛି ଅଞ୍ଚଳରେ ତାତିରୁ ମିଳିଛି ତ୍ରାହି । କାଳବୈଶାଖୀ ଯୋଗୁଁ ସାମୟିକ ଆଶ୍ୱସ୍ତି ମିଳିଛି । କେଉଁଠି ଝିପି ଝିପି ବର୍ଷା ହୋଇଛି ତ, କେଉଁଠି ଆକାଶକୁ ମେଘ ଘୋଡ଼ାଇ ରଖିଛି । ତେବେ ଆଦ୍ରତା ଅଧିକ ଥିବାରୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି ।

ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ମଧ୍ୟ କିଛି ସହରରେ ପାରଦ ଉପରମୁହାଁ ରହିଛି । ଆସନ୍ତାକାଲି ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ । ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛିି ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରାଯାଇଛି । କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

ଦୁଃଖର ବିଷୟ ଯେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ବର୍ଷା ସହ ବଜ୍ରପାତ ହୋଇଛି । ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ବଜ୍ରପାତ ଘଟି ୩ ଜଣ ଗୁରୁତର ହୋଇଛନ୍ତି । ବେଳାଭୂମିରେ ବୁଲୁଥିବା ବେଳେ ଏହି ଅଘଟଣ ଘଟିଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ବଙ୍ଗୀୟ ପର୍ଯ୍ୟଟକ ରହିଥିବା ବେଳେ ଭୋଗରାଇ ଅଞ୍ଚଳର ଜଣେ ଯୁବକ ରହିଛନ୍ତି ।