ଉପରମୁଣ୍ଡରେ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । ଆଖୁଆପଦାରେ ବିପଦ ସଙ୍କେତ ଛୁଇଁଲା

92

କନକ ବ୍ୟୁରୋ : ଫୁଲୁଛି ବୈତରଣୀର ଜଳସ୍ତର । ଭଦ୍ରକ ଆଖୁଆପଦା ନିକଟରେ ବିପଦ ସଂକେତ ପାଖାପାଖି ଜଳ ପ୍ରବାହିତ ହେଉଛି । ଗତକାଲି ରାତିରୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ବିଭିନ୍ନ ତଳି ଓ ଖାଲୁଆ ଅଂଚଳରେ ବର୍ଷା ପାଣି ଜମି ରହିବା ଫଳରେ ଲୋକଙ୍କ ଘରେ ପାଣି ପଶି ଯାଇଥିବା ସୂଚନା ମିଳିଛି । ବୈତରଣୀରେ କ୍ରମାଗତ ଜଳସ୍ତର ବଢୁଥିବା ବେଳେ ତଳିଆ ଅଂଚଳରେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ବୈତରଣୀରେ ବନ୍ୟ ଆସିଲେ ମୁଖ୍ୟତଃ ଭଣ୍ଡାରୀପୋଖରୀ, ଧାମନଗର ବ୍ଲକର ବହୁ ପଂଚାୟତ ଜଳମଗ୍ନ ହୋଇଥାଏ ।

ତେବେ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବଂଶଧାରା, ରୁଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ ଜଳକା ନଦୀର ଜଳସ୍ତର ୫ ଦଶମିକ ୭ମିଟର ଥିବା ବେଳେ ଏଠାରେ ବିପଦ ସଂକେତ ରହିଛି ୫ ଦଶମିକ ୫ ମିଟର । ନରାଜରେ ବିପଦ ସଂକେତ ୨୬.୪୧ ମିଟର ଥିବାବେଳେ ରାତି ୯ଟା ସୁଦ୍ଧା ଜଳସ୍ତର ରହିଛି ୨୨.୪୭ ମିଟର । ବ୍ରାହ୍ମଣୀ ନଦୀର ଜଳ ସ୍ତର ଜେନାପୁରରେ ୧୯.୭୫ ମିଟର ରହିଛି, ସେଠାରେ ବିପଦ ସଂକେତ ରହିଛି ୨୩ ମିଟର ।