କନକ ବ୍ୟୁରୋ : ଓଡ଼ିଶାକୁ ଫେରିଛି ମୌସୁମୀ । କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ଲଗାଣ ବର୍ଷା । ଗୋଟିଏ ପଟେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଏବଂ ଅନ୍ୟପଟେ ମୌସୁମୀ ନିମ୍ନ ଚାପ ରେଖା ସାଧାରଣ ଅବସ୍ଥାକୁ ଫେରିଛି । ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Advertisment

ସତର୍କ କଲେ ଏସଆରସି
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି
କ୍ଷେତ୍ର ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି
ସହରର ତଳିଆ ଅଂଚଳରେ ଜଳବନ୍ଦୀ ଅବସ୍ଥା ଉପୁଜିପାରେ
ରାସ୍ତା ଓ ଡ୍ରେନ ବୁଡି ଯାଇପାରେ
ଡ୍ରେନ୍ ଗୁଡ଼ିକ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ
ସହରରେ ପାଣି ଜମିବା ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିପାରେ
ତଳିଆ ଅଂଚଳରେ ପାଣି ଜମିଲେ, ତୁରନ୍ତ ନିଷ୍କାସନ କରିବାକୁ ନିର୍ଦ୍ଦେଶ
ପମ୍ପ ଓ ଜେନେରେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ
ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ନଜର ରଖିବାକୁ କୁହାଯାଇଛି

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଏହି ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ଦୁଇରୁ ତିନି ଦିନ ଭିତରେ ଉତ୍ତର ଓଡ଼ିଶା ଓ ଏହାସହ ଲାଗି ରହିଥିବା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଗତି କରିବ । ୧୮ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃ୍ଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ମୌସୁମୀର ସକ୍ରିୟତା ବୃଦ୍ଧି ଯୋଗୁଁ ରାଜ୍ୟର ଉପକୂଳ ସମେତ ପାଶ୍ୱର୍ବର୍ତୀ ଅଂଚଳରେ ବର୍ଷା ଲାଗି ରହିଛି ।

୧୬ ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ୧୧ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଦିଆଯାଇଛି ।  ୧୬ରୁ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ଅଂରେଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ତଳିଆ ଅଂଚଳରେ ପାଣି ପଶିଯାଇଛି । ଝାରସୁଗୁଡାରେ ସ୍କୁଲରେ ଲହଡି ମାରିଛି ବର୍ଷା ପାଣି । ବେହେରାମାଲ ସହର ସ୍ଥିତ ବୀରସୁରେନ୍ଦ ସାଏ ହାଇସ୍କୁଲ ଭିତରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପଶି ଯାଇଛି । ସେହିଭଳି ଭଦ୍ରକର ବିଭିନ୍ନ ମନ୍ଦିର ଗୁଡିକରେ ପାଣି ଜମି ରହିଛି । ବାବା ଲୋକନାଥଙ୍କ ମନ୍ଦିର ଭିତରେ ପାଣି ପଶିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।