ଲଗାଣ ବର୍ଷା ଯୋଗୁଁ ସଂକଟରେ ଲୋକଙ୍କ ଜୀବନ ! ବିହାରର ଅନେକ ଅଞ୍ଚଳରେ ଶୁଭୁଛି ହାହାକାର , ୨ ଦିନ ଭିତରେ ଉତ୍ତରପ୍ରଦେଶରେ ଗଲାଣି ୭୯ ଜୀବନ ।

111

ଦେଶର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତରପ୍ରଦେଶ ଏବଂ ବିହାରରେ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିହାରରେ ଲଗାଣ ବର୍ଷା କାରଣରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ରାସ୍ତାରୁ ପାଣି ଯାଇ ଘରେ ପଶୁଛି । ପାଣିପାଗ ବିଭାଗ ପକ୍ଷରୁ ବିହାରରେ ୨ ଦିନ ଭିତରେ ବର୍ଷାକୁ ନେଇ ୧୪ ଜିଲ୍ଳାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ପାଟନା ସହିତ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ ମୁତାବକ , ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୫୨ ମିଲିମିଟର୍ ବର୍ଷା ହୋଇଥିବା କଥା ଜାଣିବାକୁ ମିଳିଛି । ତେବେ ୪୮ ଘଣ୍ଟା ପର୍ଯ୍ୟନ୍ତ ବିହାରରେ ବର୍ଷା ଲାଗିରହିବାର ସୂଚନା ରହିଛି ।

ପାଟନାର ନାଳନ୍ଦା ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ ରେ ଶନିବାର ବର୍ଷା ପାଣି ଡାକ୍ତରଖାନାରେ ପଶିଯାଇଥିଲା । ଯେଉଁଥିରେ ରୋଗୀ , ଡାକ୍ତର ଏବଂ ସଂପର୍କୀୟଙ୍କୁ ନାହିନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଲଗାଣ ବର୍ଷା କାରଣରୁ ସ୍କୁଲ୍ , କଲେଜ ଏବଂ କୋଚିଙ୍ଗ୍ ସେଣ୍ଟର ମଧ୍ୟ ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ସୋମବାର ପର୍ଯ୍ୟନ୍ତ ସବୁ ସ୍କୁଲ ଏବଂ କଲେଜ୍ ବନ୍ଦ କରିବାକୁ ନିର୍ଦ୍ଧେଶ ଦିଆଯାଇଛି ।

ଉତ୍ତରପ୍ରଦେଶରେ ମଧ୍ୟ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି । ଗତ ୨ ଦିନ ମଧ୍ୟରେ ଭୟଙ୍କର ବର୍ଷା ଯୋଗୁଁ ଏବେ ପର୍ଯ୍ୟନ୍ତ ୭୯ ଲୋକଙ୍କ ମୃତ୍ୟୁ ହୋଇଗଲାଣି । ସରକାରୀ ଆକଳନ ଅନୁସାରେ , ଗୋରଖପୁର ,ଉନ୍ନାଓ , ବାନ୍ଦା ,ବଲିୟା ଏବଂ ସିତାପୁର ଜିଲ୍ଲାରେ ୨-୨ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଏହାପୂର୍ବରୁ ଶୁକ୍ରବାର ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ୪୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ଷା କାରଣରୁ ଜୀବନ ଯାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଅନୁଦାନ ରାଶି ଦେବାକୁ ଘୋଷଣା କରିଛନ୍ତି ।