ବର୍ଷା ଅନୁଭବ ବିବାହ ବିଛେଦ ମାମଲା : ସୁପ୍ରିମକୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ, ଦିଲ୍ଲୀ ପଟିଆଲା ହାଉସ କୋର୍ଟରୁ କଟକ ଫାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ ଆବେଦନ

3,574

କନକ ବ୍ୟୁରୋ : ଓଲିଉଡର ସୁପରହିଟ ଯୋଡି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ଏବେ ସୁପ୍ରିମକୋର୍ଟରେ ପହଂଚିଛି । ଦିଲ୍ଲୀରୁ କଟକକୁ ମାମଲା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ପାଇଁ ଦିଲ୍ଲୀ ସ୍ଥିତ ପଟିଆଲା ହାଉସକୋର୍ଟରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏକ ପିଟିସନ ଦାଖଲ କରିଛନ୍ତି । ତେବେ ଦିଲ୍ଲୀ ଯାଇ ମାମଲା ଲଢିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି ବର୍ଷା ।

ତେଣୁ ପଟିଆଲା ହାଉସକୋର୍ଟରୁ ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ପୂର୍ବରୁ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ବର୍ଷା କଟକ ଫ୍ୟାମଲି କୋର୍ଟରେ ମାମଲା ରୁଜୁ କରିଛନ୍ତି । ତେଣୁ ଅନୁଭବଙ୍କ ଆବେଦନକୁ କଟକ ଫ୍ୟାମଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।