ଫସଲ ଉଜାଡିଦେଲା ଅଦିନିଆ ମେଘ! ମୁଣ୍ଡରେ ହାତ ଦେଇଛି ଚାଷୀ । କୃଷି ମନ୍ତ୍ରୀ କହିଲେ, ଚଳିତ ମାସ ଶେଷ ସୁଦ୍ଧା ହେବ ସହାୟତା ଘୋଷଣା

60

 କନକ ବ୍ୟୁରୋ : ଲଘୁଚାପ ବର୍ଷା ଧୋଇଦେଲା ଚାଷୀର ସ୍ୱପ୍ନ । ଗତ ବର୍ଷାରେ ଯାଜପୁର ଓ ନିଆଳିରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ପାଣି ଭିତରେ ଶୋଇ ରହିଛି ପାଚିଲା ଧାନ ।ଲଗାଣ ବର୍ଷା ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ । ବର୍ଷା ଯୋଗୁ ଯାଜପୁର ଜିଲ୍ଳାର ବ୍ୟାପକ ଅଂଚଳରେ ଚାଷ ପ୍ରଭାବିତ । ଧାନ ଚାଷ ଠାରୁ ଆରମ୍ଭ କରି ଶୀତଦିନିଆ ପନିପରିବା ଚାଷ ଯାଏଁ ସବୁ କିଛି ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଚାଷ ଜମି ଉପରେ ପାଣି ମାଡି ଯାଇଥିବାରୁ ବ୍ୟାପକ ପଂସଲ ନଷ୍ଟ ହୋଇଛି । ଏପରିକି ଧାନ ଗଛ ଗୁଡିକ ପାଣିରେ ବୁଡି ରହିବା ପଂଳରେ ଆଉ ଅମଳ ହେବାର ଆଶା ନାହିଁ । ଲକ୍ଷ ଲକ୍ଷ ଟଙ୍କା ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି । ସେପଟେ ଜିଲ୍ଳା କୃଷି ଅଧିକାରୀଙ୍କ କହିବା କଥା ହେଲା କ୍ଷୟକ୍ଷତିର ଆକଳନ ଚାଲିଛି । ରିପୋର୍ଟ ଆସିବା ପରେ ଯାଇଁ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେହିପରି କଟକ ଜିଲ୍ଲା ନିଆଳି ଅଂଚଳରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଏକବରୁଆଁ, ଶିଠାଳ, ଶଗଡାଇଲୋ ପଂଚାୟତର ଶହ ଶହ ହେକ୍ଟର ଚାଷୀ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଯାଇଛି । ଉଜୁଡା ଫସଲକୁ ପାଣିରୁ ଛାଣି ଖରାରେ ଶୁଖାଇବାରେ ବ୍ୟସ୍ତ ଅଛନ୍ତି ଚାଷୀ । ବର୍ଷ ତମାମର ପରିଶ୍ରମ ବର୍ଷା ଧୋଇନେବା ପରେ ଚାଷୀଙ୍କୁ ଘାରିଛି ଋଣ ସୁଝିବା ଚିନ୍ତା । ଆଉ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳିନଥିବା ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।

ମରୁଡି ଓ ବର୍ଷା ପ୍ରଭାବିତ ଚାଷୀଙ୍କୁ ମିଳିବ ସହାୟତା । ଚଳିତ ମାସ ଶେଷ ସୁଦ୍ଧା ଏହି ସହାୟତା ରାଷି ଘୋଷଣା କରାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ । ରାଜ୍ୟରେ ମରୁଡି ସ୍ଥିତି ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିଲା । ଏନେଇ ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି । ତେବେ କୃଷି ବିଭାଗରେ ଅର୍ଥର କୌଣସି ଅଭାବ ନାହିଁ ଏବଂ ଚାଷୀଙ୍କୁ ସହାୟତା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି । ମରୁଡିରେ ଫସଲ ନଷ୍ଟକୁ ନେଇ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏବଂ ଚଳିତ ମାସ ଶେଷ ସୁଦ୍ଧା ସହାୟତା ରାଷି ଘୋଷଣା କରାଯିବ । ମରୁଡିରେ ନଷ୍ଟ ହୋଇଥିବା ଫସଲ ସହ ବର୍ଷାରେ ଫସଲ ଧୋଇଯାଇଥିବା ଚାଷୀଙ୍କୁ ମଧ୍ୟ ସହାୟତା ଘୋଷଣାକରାଯିବ ।