କନକ ବ୍ୟୁରୋ : ଆରମ୍ଭ ହୋଇଛି ଏସିଆ କପ୍ । ବିଶ୍ୱକପ ପୂର୍ବରୁ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱ ଯଥେଷ୍ଟ ଅଧିକ ବଢି ଯାଇଛି । ଖାସକରି ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏହାକୁ ନେଇ କ୍ରିକେଟପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । ଭାରତ-ପାକିସ୍ତାନ ଖେଳାଯିବାକୁ ଥିବା ଏହି ହାଇଭୋଲଟେଜ ମୁକାବିଲା ଉପରେ ପୂରା ବିଶ୍ୱର ନଜର ରହିଛି । ଆସନ୍ତାକାଲି ଶ୍ରୀଲଙ୍କାର କ୍ୟାଣ୍ଡିରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ତେବେ ଏହାପୂର୍ବରୁ କ୍ରିକେଟପ୍ରେମୀଙ୍କ ମନଦୁଃଖ ହେଲା ଭଳି ଖବର ଶ୍ରୀଲଙ୍କାରୁ ଆସିଛି । ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ ମୁକାବିଲାରେ ବର୍ଷା ସାଜିପାରେ ବାଧକ । ଏନେଇ ଶ୍ରୀଲଙ୍କାର ପାଣିପାଗ ବିଭାଗ ଅନୁମାନ କରିଛି । ଯଦି ବର୍ଷା ପାଇଁ ଭାରତ-ପାକିସ୍ତାନ ମ୍ୟାଚରେ ଗୋଟିଏ ବି ବଲ ନ ପଡେ ତେବେ ଏହା କ୍ରିକେଟପ୍ରେମୀଙ୍କୁ ବେଶ କଷ୍ଟ ଦେବ । କାରଣ ଦୀର୍ଘଦିନ ପରେ ପୁଣିଥରେ ମୈଦାନରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ ।

Advertisment

ଶ୍ରୀଲଙ୍କାର ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨ ସେପ୍ଟେମ୍ବରରେ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ସମ୍ଭାବନା ପ୍ରାୟ ୭୦ ପ୍ରତିଶତ ରହିଛି । ଅପରାହ୍ନ ୩ଟାରେ ମ୍ୟାଚ୍ ଖେଳାଯିବାକୁ ସ୍ଥିର ହୋଇଥିବା ବେଳେ ଏହି ସମୟରେ ମ୍ୟାଚକୁ ପ୍ରଭାବିତ କରିବ ବର୍ଷା । ଏପରିକି ବର୍ଷା ପାଇଁ ଟସ୍ ପଡିବା ମଧ୍ୟ ବିଳମ୍ବିତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଅଳ୍ପ କିଛି ସମୟ ବର୍ଷା ହେବନି ବରଂ ଲଗାତାର ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ସନ୍ଧ୍ୟା ୫ଟାରେ ହାଲୁକା ବର୍ଷା ହେବାକୁ ଥିବା ବେଳେ ରାତି ୭ରୁ ୧୧ ମଧ୍ୟରେ ଲଗାତାର ବର୍ଷା ହେବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି । ତେଣୁ ଗୋଟିଏ ବି ଇନିଂସ ଶେଷ ହେବ କି ନାହିଁ ତାହାକୁ ନେଇ ଆଶଙ୍କା ଦେଖାଦେଇଛି ।

ଦିନିକିଆ ଫର୍ମାଟରେ ଦୀର୍ଘ ୪ ବର୍ଷ ପରେ ପାକିସ୍ତାନକୁ ଭେଟିବ ଭାରତ । କିନ୍ତୁ ଏହି ମ୍ୟାଚରେ ବର୍ଷା ବାଧକ ହେବା ଖବର କ୍ରିକେଟପ୍ରେମୀଙ୍କୁ କିଛି ମାତ୍ରାରେ ନିରାଶ କରିଛି । ଗତ ୨୦୧୯ରେ ମାଞ୍ଚେଷ୍ଟରରେ ଦିନିକିଆ ବିଶ୍ୱକପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହି ମୁକାବିଲାକୁ ଭାରତ ବାଜି ମାରିନେଇଥିଲା । ତେବେ ଏହାପରେ ଟି-୨୦ ଫର୍ମାଟରେ ଖେଳାଯାଇଥିବା ଏସିଆ କପ୍ ଓ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ୨ ଥର ଭେଟିଛି ଟିମ୍ ଇଣ୍ଡିଆ ।

ଦିନିକିଆରେ ଭାରତ-ପାକିସ୍ତାନ ମଧ୍ୟରେ ୧୩୨ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଭାରତ ୫୫ଟି ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ୭୩ଟି ମ୍ୟାଚ୍ ଜିତିଛି । ୪ଟି ମ୍ୟାଚର ଫଳାଫଳ ମିଳିପାରିନାହିଁ । ଚଳିତ ଏସିଆ କପର ପ୍ରଥମ ମୁକାବିଲାରେ ନେପାଳକୁ ୨୩୮ ରନର ବଡ ବ୍ୟବଧାନରେ ମାତ୍ ଦେଇଛି ପାକିସ୍ତାନ । ତେଣୁ ଭାରତ ବିପକ୍ଷ ମ୍ୟାଚ୍ ଯଦି ବର୍ଷାରେ ଧୋଇଯାଏ ତେବେ ପାକିସ୍ତାନ ସିଧାସଳଖ ଭାବେ ସୁପର-୪ରେ ସ୍ଥାନ ପକ୍କା କରିବ । ଅନ୍ୟପଟେ ବର୍ଷା ପାଇଁ ପାକିସ୍ତାନ ବିପକ୍ଷ ମ୍ୟାଚ ସମ୍ଭବ ନହେଲେ ଭାରତକୁ ସୁପର-୪ରେ କ୍ୱାଲିଫାଏ କରିବାକୁ ନେପାଳ ବିପକ୍ଷ ମ୍ୟାଚରେ ନିଶ୍ଚୟ ବିଜୟ ହାସଲ କରିବାକୁ ପଡିବ ।