ଟ୍ୱିନସିଟିରେ ଲାଗି ରହିଛି ବର୍ଷା: ଏହିସବୁ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

401

କନକ ବ୍ୟୁରୋ: ବିଳମ୍ବିତ ରାତିରୁ ଟ୍ୱିନସିଟିରେ ବର୍ଷା ଲାଗି ରହିଥିବାବେଳେ ଏବେ ଆଉ ଏକ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱର ଓ କଟକ ସହରରେ ଲାଗି ରହିଥିବା ଲଗାଣ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଝଡ଼ି ବର୍ଷା ନେଇ ଟ୍ୱିନସିଟିକୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର । ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବାର ସମ୍ଭାବନା ରହିଛି । ଏହାସହ ଆକାଶରେ ମେଘୁଆପାଗ ଯୋଗୁଁ ଯାତାୟତରେ ସମସ୍ୟା ଦେଖାଯାଇପାରେ । ତେଣୁ ଏଭଳି ପାଗରେ ଯଥାସମ୍ଭବ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗତ କାଲି ପୂର୍ବ କେନ୍ଦ୍ରୀୟ ଏବଂ ତତ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋ‌ଇ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ଏହା ପ୍ରଭାବରେ ୧୨ ଓ ୧୩ତାରିଖରେ ରାଜ୍ୟବ୍ୟାପୀ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯିବା ସହ ମତ୍ସ୍ୟଜୀବୀଙ୍କୁ ୧୨ରୁ ୧୪ତାରିଖ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ସୂଚନାନୁଯାୟୀ, ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବ‌ର୍ଷା ହେବ । ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ତାରିଖ ଦିନ ଲଘୁଚାପ ପ୍ରଭାବରେ ସାରା ରାଜ୍ୟ‌ ରେ ବର୍ଷା ହେବ । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଗଞ୍ଜାମ, ନୟାଗଡ଼, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଅତିପ୍ରବଳ ବର୍ଷାକୁ ନେଇ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ବାଲେଶ୍ୱର, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୩ ତାରିଖ ଦିନ ବି ବର୍ଷାର ପରିମାଣ ଓ ବିସ୍ତୃତି ଅଧିକ ରହିବ। ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ବରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ। ଏନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୪ ତାରିଖ ଦିନ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।