ରାଜ୍ୟର ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ! ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

5,663

କନକ ବ୍ୟୁରୋ : ବଦଳିଛି ଓଡ଼ିଶାରେ ପାଣିପାଗର ମିଜାଜ୍। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିଛି। କେଉଁଠି ବର୍ଷା ସହ ପବନ ବାଡ଼େଇଛି ତ ଆଉ କେଉଁଠି ଘର ଦ୍ବାର ଭାଙ୍ଗିଛି। ଭୁବନେଶ୍ବର ସମେତ ରାଜ୍ୟର କେତେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବାର ଖବର ବି ଆସିଛି। ଆଗକୁ ଆହୁରି ଅଧିକ ଝଡ଼ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୫ ତାରିଖ ମଧ୍ୟାହ୍ନ ସୁଦ୍ଧା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୁନ୍ଦରଗଡ଼, କଳାହାଣ୍ଡି, ଢେଙ୍କାନାଳ, କଟକ ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେବେ ଅପରାହ୍ନଠାରୁ ପାଗରେ ବଡ଼ଧରଣର ପରିବର୍ତନ ଆସିବ। ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଅଧିକାଂଶ ସ୍ଥାନରେ ଝଡ଼ବର୍ଷା ଲାଗିରହିବ। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହୋଇପାରେ।

ଘରଦ୍ବାରା ଭାଙ୍ଗିବାର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସମ୍ବଲପୁର, ‌ଖୋର୍ଧା ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବ। ୬ ତାରିଖ ସକାଳୁ ୭ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ। ୮ ତାରିଖରେ ପ୍ରଭାବ ସାମାନ୍ୟ କମିବାକୁ ଥିଲେ ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ ଓ ରାୟଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।