ଦୁର୍ବଳ ହେଉଛି ବାତ୍ୟା ମିଗଜୋମ । ରାଜଧାନୀରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷୁଛି ।

317

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ମିଗଜୋମ ଧିରେ ଧିରେ ଦୁର୍ବଳ ହେଉଛି । କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ଭାବେ କେନ୍ଦ୍ରୀଭୁତ ରହିଛି । ଏହା ଆନ୍ଧ୍ର ଉପକୂଳରେ ଉତର ଦିଗରେ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରବର୍ତି ୬ ଘଂଟାରେ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣ ହେବାର ସମ୍ଭାବନା ରହିଛି । ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ବର୍ଷା ଓ ପବନର ବେଗ କମିଛି ।

ବାତ୍ୟାର ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । ପୁରୀ, ଗଂଜାମ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା ସମେତ ରାଜଧାନୀର କିଛି ଅଂଚଳରେ ମଧ୍ୟ ରହି ରହି ଝିପି ଝିପି ବର୍ଷା ହେଉଛି । ଆହୁରି ୨୪ ଘଂଟା କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗୁ ରହିବ । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି । ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ବର୍ଷା ଯୋଗୁଁ କୋରାପୁଟରେ ମାଟି ଅତଡା ଧସିଛି । ବୋରାରୁ ଶିବଲିଙ୍ଗପୁରମ ମଧ୍ୟରେ ମାଟି ଅତଡା ଧସିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲବାହୀ ଟ୍ରେନ ହଠାତ୍ ବ୍ରେକ ମାରିବାରୁ ଇଂଜିନ ଓ ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଉଦ୍ଧାରକାରୀ ଟ୍ରେନ୍କୁ ଘଟଣାସ୍ଥଳକୁ ପଠାଯାଇଛି । କୋରାପୁଟରୁ ଆର୍ଖୁ ଦେଇ ବିଶାଖାପାଟଣା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୪ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ସେହିପରି କିଛି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ସେପଟେ ଏସଆରସି କହିଛନ୍ତି, ନାରାୟଣପାଟଣା ଓ ପଟ୍ଟାଙ୍ଗି ଅଂଚଳରେ ସର୍ବାଧିକ ୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ଖୁବଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସେମାନେ ଯେତେ ଶୀଘ୍ର ରିେପୋର୍ଟ ଦେବେ ଅନୁଧ୍ୟାନ କରାଯାଇ କ୍ଷତିପୂରଣ ଦିଆଯିବ ।