କେନ୍ଦୁଝରରୁ କଳାକାର ଦୁନିଆ । ଓଲିଉଡର ବେତାଜ୍ ବାଦଶାହା ଥିଲେ ରାଇମୋହନ । ଫିଲ୍ମ, ସିରିଏଲ୍, ଯାତ୍ରା ସବୁଠି ଛାଡିଥିଲେ ଅଭିନୟର ଛାପ ।

328

କନକ ବ୍ୟୁରୋ: ଅଫେରା ରାଇଜରେ ରାଇମୋହନ। ଓଲିଉଡ ସିନେ ଜଗତର ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ାଙ୍କ ଆଉ ନାହାନ୍ତି। ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ବାସ ଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ମିଳିଛି। ଏହି ଖବର ସାରା ଓଡ଼ିଆ ସିନେ ଜଗତଠୁ ଆରମ୍ଭ କରି ଯାତ୍ରା ଜଗତକୁ ସ୍ତବ୍ଧ କରିଦେଇଛି।

ରାଇମୋହନ ପରିଡ଼ା ୧୯୬୩ ମସିହା ଜୁଲାଇ ୧୦ରେ କେନ୍ଦୁଝରରେ ଜନ୍ମ ହୋଇଥିଲେ। ପିଲାବେଳୁ ହିଁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା। ତା’ପରେ ସ୍କୁଲ ଓ କଲେଜରେ ପଢ଼ିବା ବେଳେ ନାଟକରେ ଭାଗ ନେଉଥିଲେ। ତାଙ୍କର ଅଭିନୟ ପ୍ରତି ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳକୁ ପଠାଇଥିଲେ। ଏହାପରେ ରାଇମୋହନଙ୍କର ବିଧିବଦ୍ଧ ଭାବେ ଅଭିନୟ ଜୀବନ ଆରମ୍ଭ ହୋଇଥିଲା।  ଫିଲ୍ମ, ସିରିଏଲ, ଡ୍ରାମା, ମେଗା ସିରିଏଲ ଆଦିରେ ଅଭିନୟ କରି ଆଜି ଏକ ଭିନ୍ନ ଛାପ ଛାଡ଼ିଯାଇଛନ୍ତି ସେ।

‘ସାଗର’ ଫିଲ୍ମରୁ ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ। ଏହାପରେ ୧୯୯୧-୯୨ରେ ସେ ପ୍ରଥମେ ଅଭିନେତା ଅଶ୍ରୁମୋଚନଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ତାଙ୍କୁ ଓଲିଉଡର ସୋ’ମ୍ୟାନ୍‌ ପ୍ରଶାନ୍ତ ନନ୍ଦଙ୍କ ଫିଲ୍ମ ‘ପକା କମ୍ବଳ ପୋତ ଛତା’ରେ ସେ ଅଫର ପାଇଥିଲେ।

କ୍ୟାରିୟର ଆରମ୍ଭ ସମୟରେ ଅନେକ ସଂଘର୍ଷର ସାମ୍ନା କରିଥିଲେ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିଲା ବେଳେ ତାଙ୍କ ପାଖରେ ପଇସା ନଥିଲା, ସେଥିପାଇଁ କେତେ ରାତି ତାଙ୍କର ଉପାସରେ କଟିଥିଲା। ଅନେକ ସଂଘର୍ଷ କରିବା ପରେ ରାଇମୋହନ ପାଲଟିଯାଇଥିଲେ ସିନେ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଜଣେ ଅଭିନେତା।

ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା। କେତେବେଳେ ସେ ନାଗିନା ତ ଆଉ କେତେବେଳେ ଚାମୁଣ୍ଡା। ରାଇମୋହନ ‘ରଣଭୂମି’, ‘ସିଂହବାହିନୀ’, ‘ସରପଞ୍ଚ ବାବୁ’, ‘କୁଳ ନନ୍ଦନ’, ‘ବିଧାତା’, ‘ଆସିବୁ କେବେ ସାଜି ମୋ ରାଣୀ’ ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କର ‘ହେଇ ଅନାନି’, ‘ମୁଁ ନାଗିନା’ ଭଳି କିଛି ଡାଇଲଗ ଦର୍ଶକଙ୍କ ମନରେ ସବୁବେଳେ ଘର କରି ରହିବ।। ଏମିତି ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ରହିଛି ତାଙ୍କ ଅଭିନୟର ଛିଟା। ଖାଲି ଓଡ଼ିଆ ନୁହେଁ ୧୫ରୁ ଅଧିକ ବଙ୍ଗଳା ଫିଲ୍ମ, ୪୦ରୁ ଅଧିକ ଯାତ୍ରା ସହିତ ସେ ଦର୍ଶକଙ୍କୁ ଦେଇଛନ୍ତି ଅନେକ ହାଇ ଭୋଲଟେଜ୍ ଡ୍ରାମା।

ସିନେମା ଜଗତରେ ଢେର ସଫଳତା ସାଉଣ୍ଟିବା ପରେ ରାଇମୋହନ ଯାତ୍ରା ଜଗତକୁ ଚାଲି ଆସିଥିଲେ। ଯଲିଉଡର ଏହି ସଫଳ ନିର୍ଦ୍ଦେଶକ ରାଇମୋହନ ତାରିଣୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ ଓ ଗୌରୀ ଗଣନାଟ୍ୟ ଆଦିରେ ମଞ୍ଚସ୍ଥ ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ରାଇମୋହନ ଯାତ୍ରାରେ ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟରେ ବି ସକ୍ରିୟ ହେଲେ।

ରାଇମୋହନ ପରିଡ଼ାକୁ ଆପଣ ଯେତେବେଳେ ଫିଲ୍ମ ପରଦାରେ ଦେଖିଥିବେ ନିଶ୍ଚୟ ତାଙ୍କ ଖଳନାୟକ ଚରିତ୍ର ଦେଖି ଆପଣ ତାଙ୍କୁ ଗାଳି କରିଥିବେ। କିନ୍ତୁ ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଭିନ୍ନ ମଣିଷଟେ ଥିଲେ। ସ୍ତ୍ରୀ ଓ ଦୁଇ ଝିଅଙ୍କ ସହିତ ବେଶ୍‌ ସିଧାସାଧା ଜୀବନଯାପନ କରୁଥିଲେ ରାଇମୋହନ। ଅନେକ ଲୋକ ତାଙ୍କୁ ରାଇ ଭାଇ ବୋଲି ଡାକୁଥିଲେ କିନ୍ତୁ ଆଜି ଅଫେରା ରାଇଜକୁ ଚାଲି ଯାଇଛନ୍ତି ସେହି ପ୍ରିୟ ରାଇ ଭାଇ।