ପଞ୍ଚଭୂତରେ ଲୀନହେଲେ ଅଭିନେତା ରାଇମୋହନ: ମୁଖାଗ୍ନି ଦେଲେ ସାନ ଝିଅ 

705

କନକ ବ୍ୟୁରୋ: ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହେଲା ବରିଷ୍ଠ ଅଭନେତା ରାଇମୋହନ ପରିଡାଙ୍କ ଶେଷକୃତ୍ୟ । ରାଇମୋହନଙ୍କୁ ମୁଖାଗ୍ନି ଦେଲେ ତାଙ୍କ ସାନ ଝିଅ । ପାଖରେ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ଆଜି ବରିଷ୍ଠ ଅଭିନେତା ରାଇମୋହନ ପରିଡା ଘରେ ଆତ୍ମହତ୍ୟା କରିଥିଲେ । ବେକରେ ରଶି ଲଗାଇଦେଇଥିଲେ । ତାଙ୍କର ଏଭଳି ଅକସ୍ମାକ ମୃତ୍ୟୁରେ ସାରା ଓଡିଶା ସ୍ତବ୍ଧ ହୋଇଯାଇଛି ।

ଆଜି ରାଇମୋହନ ପରିଡା ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ ତନାଘନା କରିଥିଲା ଟିମ ।

ଓଡିଶାର ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । ତାଙ୍କର ଜନ୍ମ ୧୯୬୩ ମସିହାରେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେନ୍ଦୁଝରରେ ଉଦୟପୁର ଗ୍ରାମରେ । ସେ ଚାରି ଝିଅରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା । ସେ ବିଏଲଡବ୍ଲ୍ୟୁ ଭାବେ କାର୍ୟ୍ୟ କରୁଥିଲେ । ମା’ ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା ।