ରେଳବାଇ ଚଳାଇଥିବା ସ୍ୱତନ୍ତ୍ର ଟ୍ରେନ ଖର୍ଚ୍ଚ ଦେବେ ରାଜ୍ୟ ସରକାର: ତାଲାବନ୍ଦ ପାଇଁ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି ଅନେକ ଶ୍ରମିକ; ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ଆରମ୍ଭ ହେଲାଣି ପ୍ରକ୍ରିୟା

2,208

କନକ ବ୍ୟୁରୋ: ଶ୍ରମିକଙ୍କ ପାଇଁ ରେଳବାଇ ଚଳାଇଥିବା ସ୍ୱତନ୍ତ୍ର ଟ୍ରେନରେ ଟିକେଟ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଦେଶବ୍ୟାପୀ ଲକଡାଉନ ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବସରେ ଫେରୁଥିବା ଶ୍ରମିକ କିମ୍ବା ଛାତ୍ରଛାତ୍ରୀ ନିଜ ଖର୍ଚ୍ଚରେ ବସ ଭଡା କରି ଫେରୁଛନ୍ତି । ଏପରିକି ଜଣପିଛା ୪ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି ।

କିନ୍ତୁ ଟ୍ରେନ ଯୋଗେ ଆସୁଥିବା ଶ୍ରମିକଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି । ପ୍ରତ୍ୟେକ ଶ୍ରମିକ ପିଛା ସ୍ଲିପର କ୍ଲାସ ଟିକେଟ ଭଡା ସହିତ ମିଲ ପାଇଁ ୩୦ ଟଙ୍କା ଓ ପାଣି ପାଇଁ ୨୦ ଟଙ୍କା ଲେଖାଇ ଚାର୍ଜ କରିବ ରେଳବାଇ ।

ଗୋଟିଏ ଗୋଟିଏ ଟ୍ରେନରେ ୧ ହଜାରରୁ ୧୨ ଶହ ଶ୍ରମିକ ଆସୁଥିବା ଜଣାପଡିଛି । ଗତକାଲି ଅନ୍ତର୍ଜାତୀୟ ଶ୍ରମିକ ଦିବସରେ ୬ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ ଆରମ୍ଭ କରିଛି ଭାରତୀୟ ରେଳବାଇ ।