ଆଉ ଟ୍ରେନରେ କରିହେବନି ଚାର୍ଜିଂ । ରାତିରେ କାମ କରିବନି ଚାର୍ଜ ପଏଣ୍ଟ । ମୋବାଇଲ, ଲାପଟପ ଚାର୍ଜିଂରେ କଟକଣା ।

346

କନକ ବ୍ୟୁରୋ: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ… ଏଣିକି ରାତିରେ ଟ୍ରେନରେ କରିହେବନି ମୋବାଇଲ ଚାର୍ଜିଂ । ଯାତ୍ରୀଙ୍କ ସିଟ ପାଖରେ ଥିବା ଚାର୍ଜ ପଏଣ୍ଟରେ ଆପଣ ମୋବାଇଲ କି ଲାପଟପ ଚାର୍ଜ କରିପାରିବେନି । ରେଳଯାତ୍ରା ବେଳେ ରାତିରେ ଏହି ସେବା ବନ୍ଦ ରହିବ ଅର୍ଥାତ ଚାର୍ଜିଂ ପଏଣ୍ଟ କାମ କରିବନି । ରାତି ୧୧ଟାରୁ ସକାଳ ୫ଟା ଯାଏଁ ସମସ୍ତ ଚାର୍ଜିଂ ପଏଣ୍ଟ ଅଚଳ ହୋଇଯିବ ଆଉ ପୁଣିଥରେ ସକାଳ ହେବା ପରେ ପୂର୍ବପରି କାମ କରିବ । ଏଭଳି ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳ ବିଭାଗ । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ବିଭାଗର ଏଭଳି ନିଷ୍ପତ୍ତିରେ ଅନେକ ଲୋକ ପ୍ରଭାବିତ ବି ହୋଇପାରନ୍ତି ।

ତେବେ ସର୍ଟସର୍କିଟ, ମୋବାଇଲ ବ୍ଲାଷ୍ଟ କିମ୍ବା ଅନ୍ୟାନ୍ୟ କାରଣରୁ ବିଭିନ୍ନ ସମୟରେ ଟ୍ରେନରେ ନିଆଁ ଲାଗୁଛି । ରାତିରେ ଅଘଟଣ ଯାତ୍ରୀଙ୍କ ଜୀବନ ପାଇଁ ବଡ ବିପଦ ଆଣୁଥିବାରୁ ନିଆଁକୁ ଆୟତ୍ତ ଏବଂ ନିଆଁ ବ୍ୟାପିବା ରୋକିବାକୁ ରାତିରେ ଚାର୍ଜିଂ ସେବା ବନ୍ଦ କରିବାକୁ ବଡ ନିଷ୍ପତ୍ତି ନେଇଛି ରେଳ ବିଭାଗ ।

ଗତ ମାର୍ଚ୍ଚ ୧୩ ତାରିଖରେ ଦିଲ୍ଲୀ- ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ଭୟଙ୍କର ନିଆଁ ଲାଗିଥିଲା । ସର୍ଟସର୍କିରୁ ନିଆଁ ଗୋଟିଏ କୋଚରୁ ଚାହୁଁଚାହୁଁ ୭ଟି କୋଚକୁ ବ୍ୟାପିଥିଲା । ଯଦିଓ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ହେଲେ ସେହି ଘଟଣା ରେଳ ବିଭାଗକୁ ବଡ ଶିକ୍ଷା ଦେଇଥିଲା ଆଉ ଏବେ ଏହାର ପ୍ରଭାବ ଏହି ବଡ ନିଷ୍ପତ୍ତି ଉପରେ ଦେଖିବାକୁ ମିଳିଛି ।

ସେପଟେ ରେଳଯାତ୍ରା ସମୟରେ ରାତି ୧୧ରୁ ସକାଳ ୫ଟା ଯାଏଁ ଟ୍ରେନରେ ଚାର୍ଜିଂ ସେବା ବନ୍ଦ ରହିବାକୁ ଥିବାରୁ ଦୂରଦୂରାନ୍ତର ଯାତ୍ରା କରୁଥିବା ଯାତ୍ରୀଙ୍କୁ ସାଥିରେ ପାୱାର ବ୍ୟାଙ୍କ ନେବାକୁ କିମ୍ବା ଆଗୁଆ ମୋବାଇଲ, ଲାପଟପରେ ଚାର୍ଜ ରଖିବାକୁ ପରାମର୍ଶ ଦିଆଯାଇଛି ।