ଭାରତୀୟ ରେଳ ବିଭାଗର ଚମକାଇଦେବା ଭଳି ତଥ୍ୟ, ଗୁଟଖା ଦାଗ ସଫା କରିବାକୁ ବାର୍ଷିକ ଖର୍ଚ୍ଚ ହେଉଛି ଏତେ ଟଙ୍କା

340

କନକ ବ୍ୟୁରୋ : ସାରା ଦେଶରେ ସ୍ୱଚ୍ଛତା ଅଭିଯାନକୁ ନେଇ ଲୋକମାନଙ୍କୁ ବାରମ୍ବାର ସଚେତନ କରାଯାଉଛି । ସରକାର ଲୋକମାନଙ୍କୁ ନିଜର ଆଖ ପାଖ ଅଞ୍ଚଳ ପରସ୍କାର ରଖିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ ସହର ଠାରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଲୋକମାନେ ଅଳିଆ କରିବାରେ ଲାଗିଛନ୍ତି । ଏହା ଫଳରେ ସରକାରଙ୍କ ପାଇଁ ମୁସ୍କିଲ ବଢିବାରେ ଲାଗୁଛି । ଏତେ ସଚେତନ ପରେ ବି ସର୍ବସାଧାରଣ ସ୍ଥାନରେ ପାନ ଓ ଗୁଟଖା ଖାଇ ଛେପ ପକାଇବା ଏକ ସାଧରଣ କଥା ହୋଇ ରହିଛି ।

ଭାରତୀୟ ରେଳ ବିଭାଗ ପ୍ରତିବର୍ଷ ଷ୍ଟେସନ ଓ ରେଳ ମଧ୍ୟରେ ଗୁଟଖା ଛେପର ଦାଗ ସଫା କରିବାକୁ ଆନୁମାନିକ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି । କେବଳ ଟଙ୍କା ନୁହେଁ ଏହାକୁ ସଫା କରିବାକୁ ଲକ୍ଷ ଲକ୍ଷ ଲିଟର ପାଣି ବି ବ୍ୟବହାର କରାଯାଉଛି । ଏହି ପରିସଂଖ୍ୟାନ ଆପଣଙ୍କୁ ଚମକାଇଦେଇ ପାରେ ! ହେଲେ ଦେଶରେ ରେଳ ଷ୍ଟେସନ ଓ ରେଳ ଗାଡି ସଂଖ୍ୟା ସହ ଯାତ୍ରୀଙ୍କ ସଂଖ୍ୟାକୁ ଦେଖି ଖର୍ଚ୍ଚର ପରିମାଣକୁ ବିଶ୍ୱାସ କରାଯାଇପାରେ । କରୋନା କାଳରେ ଲୋକଙ୍କୁ ସଫା ସୁତରା ରହିବାକୁ ବିଶେଷ ପରାମର୍ଶ ଦିଆଯାଇଥିଲା । ହେଲେ ଲୋକମାନେ ତାଙ୍କ ଅଭ୍ୟାସକୁ ପରିବର୍ତ୍ତନ କରିପାରି ନାହାଁନ୍ତି ।

ହେଲେ ଏବେ ରେଳ ବିଭାଗ ଏହି ଖର୍ଚ୍ଚରୁ ମୁକ୍ତି ପାଇବାକୁ ନୂଆ ତରିକା ଆବିସ୍କାର କରିଛି । ରେଳ ବିଭାଗ ତରଫରୁ ରେଳ ଷ୍ଟେସନରେ ରଖାଯାଇଥିବା ପିକଦାନରେ ବୋର୍ଡିଂ ମେସିନ କିମ୍ବା କିଓସ୍କୋ ଲଗାଇବାର ବ୍ୟବସ୍ଥା କରିଛି । ଏବେ ଆପଣ ଗୁଟଖା କିମ୍ବା ପାନ ଖାଇବା ବେଳେ ଛେପ ପକାଇବାକୁ ପିକଦାନ ପାଉଚ୍ କିଣିପାରିବେ । ଯାହାର ଦାମ ୫-୧୦ ଟଙ୍କା ମଧ୍ୟରେ ରହିବ । ଏବେ ୪୨ ଟି ଷ୍ଟେସନରେ ଏହି ଷ୍ଟଲ ଲଗାଇବାକୁ ଯୋଜନା କରିଛି ରେଳ ବିଭାଗ ।

ରେଳ ବିଭାଗ ଆଶା କରିଛି କି ଏହି ଯୋଜନା ଆରମ୍ଭ ହେବା ପରେ ଲୋକମାନେ ଛେପ ପକାଇବାକୁ ଏହି ପାଉଚ୍ କିଣି ବ୍ୟବହାର କରିବେ । ଫଳରେ ସର୍ବ ସାଧାରଣ ସ୍ଥାନଗୁଡିକ ଅପରିସ୍କାର ହେବାରୁ ବଞ୍ଚିଯିବ । ଏଭଳି କରିବା ଦ୍ୱାରା ରେଳ ଷ୍ଟେସନ ଓ ରେଳ ଗାଡି ପରିସ୍କାର ରହିବା ସହ କରଦାତାଙ୍କ କୋଟି କୋଟି ଟଙ୍କା ଅପବ୍ୟବହାରରୁ ରକ୍ଷା ପାଇଯିବ ।