ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ବଢ଼ିଲା ଦାବି: କେନ୍ଦ୍ର ଏଥିପାଇଁ ବ୍ୟବସ୍ଥା କରିବାକୁ ଦାବି କଲେ ବିହାର, ପଞ୍ଜାବ, କେରଳ ଓ ତେଲେଙ୍ଗାନା ସରକାର

କହିଲେ, ଲକ୍ଷାଧିକ ଶ୍ରମିକଙ୍କୁ ବସ୍ରେ ଆଣିବା ଅସମ୍ଭବ

414

କନକ ବ୍ୟୁରୋ: ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ବଢ଼ିଲା ଦାବି । ରାଜ୍ୟ ବାହାରେ ଥିବା ୨୫ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ରାଜ୍ୟ ବାହାରେ ଥିବା ଏତେ ସଂଖ୍ୟାରେ ଶ୍ରମିକ ଓ ଛାତ୍ରଙ୍କୁ ବସରେ ଫେରାଇ ଆଣିବା ଅସମ୍ଭବ ବୋଲି ସେ କହିଛନ୍ତି ।

ସେହିପରି କେରଳ,ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଇ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି । ଟ୍ରେନ୍ ଚଳାଚଳ କରୁନଥିବାରୁ ପ୍ରବାସୀ ଶ୍ରମିକମାନେ ବସ୍ ଯୋଗେ ସେମାନଙ୍କ ରାଜ୍ୟକୁ ଫେରିପାରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶାବଳୀ ଜାରି କରିଛି । ଅନ୍ୟପଟେ ଫଶି ରହିଥିବା ଶ୍ରମିକମାନେ କିଭଳି ସୁରକ୍ଷିତ ଭାବେ ସେମାନଙ୍କ ନିଜ ନିଜ ରାଜ୍ୟକୁ ଫେରିବେ ସେଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ବ୍ୟବସ୍ଥା କରୁଥିବା ସୂଚନା ମିଳିଛି । ତେବେ ଏନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଆସିନାହିଁ ।