ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଗଲାଣି ୮୦ ଜଣଙ୍କ ଜୀବନ: ମେ’ ୯ରୁ ୨୭ ତାରିଖ ମଧ୍ୟରେ ଜୀବନ ଯାଇଥିବା ସୂଚନା; ମାନସିକ ଚାପ, ଭୋକ ଓ ହିଟୱେଭରେ ଯାଉଛି ଜୀବନ

ସଫେଇ ରଖିଲା ରେଳବାଇ

356

କନକ ବ୍ୟୁରୋ: ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଗଲାଣି ୮୦ ଜୀବନ । କେନ୍ଦ୍ର ସରକାରଙ୍କ ପ୍ରୟାସରେ ଭାରତୀୟ ରେଳବାଇ ପକ୍ଷରୁ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ କରୁଛି । ହେଲେ ଆରପିଏଫରୁ ମିଳିଥିବା ସୂଚନା ଅନୁସାରେ ମେ ୯ ତାରିଖରୁ ୨୭ ତାରିଖ ମଧ୍ୟରେ ଏହି ଟ୍ରେନରେ ଗଲାବେଳେ ୮୦ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଲକଡାଉନରେ ଫସି ରହିଥିବା ଶ୍ରମିକଙ୍କୁ ନିଜନିଜ ରାଜ୍ୟରେ ପହଂଚାଇବା ପାଇଁ ମେ ୨୭ ତାରିଖ ସୁଦ୍ଧା ଦେଶରେ ୩ ହଜାର ୮୪୦ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚାଲିଛି । ଗତ ବୁଧବାର କେବଳ ୯ ଜଣଙ୍କ ମୃତ୍ୟୁ ହୋଇଛି । ଅତ୍ୟଧିକ ମାନସିକ ଚାପ କିମ୍ବା ଭୋକ ଓ ହିଟେଓକ୍ୱଭ କାରଣରୁ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ତେବେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ତୁରନ୍ତ ପ୍ରତିକ୍ରିୟା ରଖିଛି ରେଳ ମନ୍ତ୍ରାଳୟ । ବିବୃତି ଜାରି କରି କୁହାଯାଇଛି, ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ । ୮୦ ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରେଳବାଇ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ । ସେ କହିଛନ୍ତି ଶ୍ରମିକ ଟ୍ରେନରେ କାହାରି ଦେହ ଅସୁସ୍ଥ ହେଲେ ତୁରନ୍ତ ଟ୍ରେନ ଅଟକାଇ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଉଛି । ଏଭଳି ଅନେକ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ଓ ଅନେକ ପ୍ରସବ ମଧ୍ୟ କରାଯାଇଛି । ଭୋକରେ କେହି ମରିଥିବା ନେଇ ଅଭିଯୋଗର ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।