ଯେତିକି ବିସ୍କୁଟ୍ ଦିଆଯାଉଛି, ସେତିକି ବାଣ୍ଟିକି ଖାଅ ! ଟ୍ରେନରେ ପ୍ରବାସୀଙ୍କୁ ବିସ୍କୁଟ୍ ଫିଙ୍ଗିବା ପଡ଼ିଲା ମହଙ୍ଗା, ରେଳ ଅଧିକାରୀଙ୍କୁ ନିଲମ୍ବିତ କଲା ରେଳବାଇ ।

1,105

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଫିରୋଜାବାଦର ଜଣେ ବରିଷ୍ଠ ରେଳ ଅଧିକାରୀଙ୍କ ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରବାସୀମାନଙ୍କୁ ଖାଇବାକୁ ଦେବା ସମୟରେ ତାଙ୍କୁ ଗାଳି ଦେବା ସହ ଅସମ୍ମାନିତ କରିବାର ଦୃଶ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହି ଭିଡ଼ିଓ ଭାଇରାଲ ପରେ ବରିଷ୍ଠ ରେଳ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜଣାପଡିଛି ।

ସୋମବାର ଦିନ ରେକର୍ଡ ହୋଇଥିବା ତିନି ମିନିଟର ଭିଡ଼ିଓରେ ଦେଖାଯାଇଛି ଯେ, କିଛି ରେଳ କର୍ମଚାରୀ ରାଜ୍ୟ ରାଜଧାନୀ ଲଖନଉଠାରୁ ପ୍ରାୟ ୩୦୦କିଲୋମିଟର ଦୂରରେ ଥିବା ପଶ୍ଚିମ ଉତ୍ତରପ୍ରଦେଶର ଫିରୋଜାବାଦର ଏକ ଷ୍ଟେସନରେ ବିସ୍କୁଟ ପ୍ୟାକେଟ୍ ବଣ୍ଟନ କରୁଛନ୍ତି । ଟିକେଟ୍‌ର ମୁଖ୍ୟ ଇନ୍ସପେକ୍ଟର ଡି.କେ ଦୀକ୍ଷିତ ଦଳକୁ ଆଗେଇ ନେଉଥିବା ସହ ଅଧିକାରୀମାନେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଯାତ୍ରୀମାନଙ୍କ ଉପରକୁ ବିସ୍କୁଟ ଫିଙ୍ଗି ସେମାନଙ୍କୁ ଉପହାସ କରୁଥିବା ଦେଖିବାକୁ ମିଳିଛି । ଆଜି ତୁମମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଉଛି, କାରଣ ଆଜି ଡି.କେ ଦୀକ୍ଷିତଙ୍କ ଜନ୍ମ ଦିନ । ଯେତେବେଳେ କିଛି ଯାତ୍ରୀ ଅଧିକ ବିସ୍କୁଟ୍ ପ୍ୟାକେଟ୍ ମାଗୁଛନ୍ତି, ସେତେବେଳେ ଅଧିକାରୀମାନେ ତାଙ୍କୁ ଯେତିକି ଦିଆଯାଇଛି, ସେତିକି ବାଂଟିକି ଖାଅ ବୋଲି କହୁଥିବା ଭିଡ଼ିଓରେ ସ୍ପଷ୍ଟ ଦେଖାଯାଇଛି ।

ଏହି ଭିଡିଓଟି ପ୍ରଥମେ ସ୍ଥାନୀୟ ରେଳ ଅଧିକାରୀଙ୍କ ହ୍ଵାଟ୍ସଆପ ଗ୍ରୁପରେ ସେୟାର କରାଯାଇଥିବା ବେଳେ ପରେ ସୋସିଆଲ୍ ମିଡିଆରେ ଏହା ଭାଇରାଲ ହେବା ଆରମ୍ଭ ହୋଇଥିଲା । ଭିଡ଼ିଓ ଭାଇରାଲ ପରେ ଭିଡ଼ିଓରେ ନଜର ଆସୁଥିବା ସମସ୍ତ ରେଳ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଡି.କେ ଦୀକ୍ଷିତଙ୍କୁ ନିଲମ୍ବିତ କରାଯାଇଥିବା ନେଇ ରେଳବାଇ ଟୁଇଟ୍ କରି କହିଛି ।