ରେଳ ମନ୍ତ୍ରାଳୟର ବଡ ନିଷ୍ପତ୍ତି । ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଏନଟିପିସି ଓ ଲେବଲ-୧ ପରୀକ୍ଷା ଉପରେ ଲଗାଇଲା ରୋକ ।

1,061

କନକ ବ୍ୟୁରୋ : ଆରଆରବି ଏନଟିପିସି ପରୀକ୍ଷାଫଳକୁ ନେଇ ବିହାରରେ ଛାତ୍ର ମାନଙ୍କ ଲଗାତାର ବିରୋଧ ପ୍ରଦର୍ଶନ ପରେ ରେଳ ବିଭାଗ ବଡ ନିଷ୍ପତ୍ତି ନେଇଛି । ଏନଟିପିସି ଓ ଲେବଲ-୧ ପରୀକ୍ଷା ଉପରେ ରୋକ ଲଗାଇଛି ରେଳ ମନ୍ତ୍ରାଳୟ । ଏହାସହ ଏକ କମିଟି ମଧ୍ୟ ଗଠନ କରାଯାଇଛି । ଯେଉଁମାନେ ପରୀକ୍ଷାରେ ପାସ୍ ଓ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଏହାର ରିପୋର୍ଟ ରେଳ ମନ୍ତ୍ରାଳୟକୁ ଦେବେ । ଏହାପରେ ରେଳ ମନ୍ତ୍ରାଳୟ ନିଜର ଆଗାମୀ ନିଷ୍ପତ୍ତି ନେବ ।

ଗତ କିଛି ଦିନ ହେବ ବିହାରରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଆରଆରବି ପରୀକ୍ଷାଫଳକୁ ନେଇ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ଅନ୍ୟପଟେ ଏଭଳି ବିରୋଧ ପ୍ରଦର୍ଶନକୁ ନେଇ ରେଳମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇ କୁହାଯାଇଥିଲା ଯେ, ପରୀକ୍ଷାଫଳକୁ ନେଇ ଭଙ୍ଗାରୁଜା କରୁଥିବା ଓ ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଥିବା ଛାତ୍ରଛାତ୍ରୀଙ୍କୁ ରେଲୱେରେ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଯିବ । କାରଣ ବିରୋଧ ପ୍ରଦର୍ଶନ ଆଳରେ ଛାତ୍ରଛାତ୍ରୀ ମାନେ ରେଳଧାରଣାରେ ବସିବା ସହ ବିଭିନ୍ନ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରିଛନ୍ତି ।

ବିରୋଧ ପ୍ରଦର୍ଶନ ଆଳରେ ଭଙ୍ଗାରୁଜା କରୁଥିବା ଛାତ୍ରଛାତ୍ରୀଙ୍କର ଭିଡ଼ିଓ ଯାଞ୍ଚ ପରେ ଏଥିରେ ସାମିଲ ଥିବା ଛାତ୍ରଛାତ୍ରୀଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଯିବା ରେଳ ବିଭାଗରେ ଭର୍ତ୍ତି ପାଇଁ ସୁଯୋଗ ଦିଆଯିବ ନାହିଁ । ଏପରିକି ଏଥିପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଲେ ଛାତ୍ରଛାତ୍ରୀ ଦାୟୀ ରହିବେ ବୋଲି ରେଲୱେ ପକ୍ଷରୁ କୁହାଯାଇଛି ।