ଶ୍ରମିକ ମୃତ୍ୟୁ ନେଇ ଅଧା ତଥ୍ୟ ଦେଲେ କେନ୍ଦ୍ର ସରକାର: ରାଜ୍ୟସଭାରେ ରେଳମନ୍ତ୍ରୀ କହିଲେ, ଶ୍ରମିକ ଟ୍ରେନରେ ପ୍ରବାସୀଙ୍କ ସ୍ଥାନାନ୍ତର ବେଳେ ଯାଇଛି ୯୭ ଶ୍ରମିକଙ୍କ ଜୀବନ

ଟିଏମସି ସାଂସଦଙ୍କ ଲିଖତ ପ୍ରଶ୍ନର ଉତରରେ ତଥ୍ୟ ରଖିଲେ ପିୟୁଷ ଗୋଏଲ ଅଧା ତଥ୍ୟ ଦେଲେ ସରକାର

74

କନକ ବ୍ୟୁରୋ: ଲକଡାଉନ୍ ସମୟରେ କେତେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ତାକୁ ନେଇ ବିରୋଧୀ ବାରମ୍ବାର ମୋଦି ସରକାରଙ୍କୁ ଘେରିଥିବା ବେଳେ ଗତକାଲି ସଂସଦରେ ଅଧା ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟସଭାରେ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି – ଶ୍ରମିକ ଟ୍ରେନ୍ରେ ପ୍ରବାସୀଙ୍କ ସ୍ଥାନାନ୍ତର ବେଳେ ୯୭ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଟିଏମ୍ସି ସାଂସଦଙ୍କ ଲିଖତ ପ୍ରଶ୍ନର ଉତରରେ ଏହି ତଥ୍ୟ ଦେଇଛନ୍ତି ପିୟୁଷ ଗୋଏଲ । ଏହି ୯୭ ମୃତ୍ୟୁ ଭିତରୁ ୮୭ ଜଣ ଶ୍ରମିକଙ୍କ ମୃତଦେହ ରାଜ୍ୟ ପୁଲିସ୍ ଗୁଡ଼ିକର ସହାୟତାରେ
ସେମାନଙ୍କ ପରିବାରକୁ ପଠାଇ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ।

ମୋଟ୍ ୫୭ ମୃତ ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରୁ ୫୧ ଜଣ ହୃତଘାତ, ହୃତରୋଗ, ମସ୍ତିସ୍କ ରକ୍ତସ୍ରାବ ଏବଂ ସେମାନଙ୍କଠାରେ ଥିବା ପୂର୍ବ ରୋଗ କାରଣରୁ ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଯୋଗୁଁ ଫଶି ରହିଥିବା ଶ୍ରମିକଙ୍କ ପାଇଁ ମେ ୧ ତାରିଖରୁ ଅଗଷ୍ଟ ୩୧ ତାରିଖ ଯାଏଁ ଶ୍ରମିକ ଟ୍ରେନ୍ ବ୍ୟବସ୍ଥା କରାଯାଇଥିଲା । ଆଉ ଏହା ଦ୍ୱାରା ୬୩ ଲକ୍ଷ ୧୯ ହଜାର ଶ୍ରମିକଙ୍କ ନିଜ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପିୟୁଷ ଗୋଏଲ ।