ଜାରି ରହିଛି କେନ୍ଦ୍ରମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ : ଆଜି ମାଲକାନଗିରିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବେ ରେଳମନ୍ତ୍ରୀ

98

କନକ ବ୍ୟୁରୋ : ଜାରି ରହିଛି କେନ୍ଦ୍ରମନ୍ତ୍ରୀମାନଙ୍କ ଆକାଂକ୍ଷୀ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ଏହି କ୍ରମରେ ଆଜି ମାଲାକାନଗିରି ଜିଲ୍ଲା ଗସ୍ତ କରୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନରେ ବିଶାଖାପାଟଣାରୁ ଆସି କୋରାପୁଟ ରେଳ ଷ୍ଟେସନରେ ପହଂଚିଥିଲେ ରେଳମନ୍ତ୍ରୀ । ଷ୍ଟେସନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ସହ କୋରାପୁଟ ବିଜେପି ଶାଖା ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସିଧା ମାଲକାନଗିରି ଜିଲ୍ଲା ଅଭିମୁଖେ ବାହାରିଛନ୍ତି ରେଳମନ୍ତ୍ରୀ ।

ତେବେ ଏହି କେନ୍ଦ୍ରମନ୍ତ୍ରୀ ମାନଙ୍କ ଗସ୍ତକୁ ନେଇ ଜୋରଦାର ହୋଇଛି ବିଜେଡି-ବିଜେପି ରାଜନୀତି । କାରଣ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାକୁ ଗସ୍ତ କରୁଛନ୍ତି ୧୦ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ପ୍ରବର୍ତିତ ଯୋଜନା ଏସବୁ ଜିଲ୍ଲାରେ କିଭଳି କାର୍ଯ୍ୟକାରୀ ହେଉଛି ତାର ସମୀକ୍ଷା କରୁଛନ୍ତି । ନୂଆପଡା, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, ବଲାଙ୍ଗିର, ଢେଙ୍କାନାଳ, କୋରାପୁଟ ଓ ଗଜପତି ଜିଲ୍ଲା ଗସ୍ତ କରୁଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିବାବେଳେ କୋରାପୁଟରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି ସଂଜୀବ ବାଲିୟାନ ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ କରୁଥିବାବେଳେ ଅର୍ଜୁନ ମୁଣ୍ଡା କଳାହାଣି, ପ୍ରହଲ୍ଲାଦ ସିଂ ପଟେଲ ଗଜପତି, ସାଧ୍ୱୀ ନିରଞ୍ଜନ ଜ୍ୟୋତି ବଲାଙ୍ଗିର, ସତ୍ୟପାଲ ସିଂ ବାଘେଲ ନୂଆପଡା ଜିଲ୍ଲା ଗସ୍ତ କରୁଛନ୍ତି । ଗତକାଲି ନବରଙ୍ଗପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ସମୀକ୍ଷା କରିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ । ସେହିପରି କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶ ରାୟଗଡା ଓ ସୁବାସ ସରକାର କନ୍ଧମାଳ ଜିଲ୍ଲା ଗସ୍ତ କରୁଛନ୍ତି ।

ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ଏଭଳି ଗସ୍ତକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଆସୁଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କାରଣ ମନ୍ତ୍ରୀଙ୍କ ଗସ୍ତରୁ ଦଳୀୟ କାର୍ଯ୍ୟକ୍ରମ ଭଳି ପାଳନ କରାଯାଉଛି । ସ୍ଥାନୀୟ ସାଂସଦ, ବିଧାୟକ ଓ ପ୍ରଶାସକଙ୍କ ସହ ମନ୍ତ୍ରୀଙ୍କ ସମୀକ୍ଷା କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ବିଜେପିର ସ୍ଥାନୀୟ ପ୍ରତିନିଧି । ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ନେତାଙ୍କ ଉପସ୍ଥିତିକୁ ସହଜରେ ହଜମ କରିପାରୁ ନାହାନ୍ତି ବିଜେଡି ଓ କଂଗ୍ରେସ ।