ଭୁବନେଶ୍ୱର ରେଳଷ୍ଟେସନ ବୁଲିବା ପରେ ରାୟଗଡ଼ାକୁ ଟ୍ରେନରେ ଗଲେ ରେଳମନ୍ତ୍ରୀ : ଯାତ୍ରୀଙ୍କ ସହ କଲେ ଆଲୋଚନା; ସୁବିଧା, ଅସୁବିଧା ବୁଝିଲେ

250

କନକ ବ୍ୟୁରୋ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରେଳଯାତ୍ରା । ଯାତ୍ରୀଙ୍କ ସହ କଥା ହେଲେ, ସୁଖ ଦୁଃଖ ବୁଝିଲେ । କେନ୍ଦ୍ରମନ୍ତ୍ରୀ ବୈଷ୍ଣବଙ୍କ ରାୟଗଡ଼ାକୁ ଟ୍ରେନ ଯାତ୍ରା ସମୟରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ରେଳମନ୍ତ୍ରୀ । ଯାତ୍ରୀମାନେ ଏହାକୁ ନେଇ ବେଶ୍ ଖୁସି ପ୍ରକାଶ କରୁଥିବା ଦେଖାଯାଇଛି ।

ଭିତ୍ତିଭୂମି ଯାଞ୍ଚ ସମୟରେ ରେଳମନ୍ତ୍ରୀ ମୁଖ୍ୟତଃ ୬ ନମ୍ବର ପ୍ଲାଟଫର୍ମ ପାର୍ଶ୍ବ ପ୍ରବେଶ ପଥ ଉପରେ ଗୁରୁତ୍ବ ଦେଇଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ ପାର୍ଶ୍ବ ପ୍ରବେଶ ପଥର ବିକାଶ ହେଉଥିବା ବେଳେ ୬ ନମ୍ବରରେ କେଉଁ ଅସୁବିଧା ରହୁଛି, କାହିଁକି ବିକାଶ ହୋଇପାରୁ ନାହିଁ ସେନେଇ ସମୀକ୍ଷା କରିଥିଲେ । ଗତକାଲି ପ୍ରାୟ ୧୦ ମିନିଟ୍‌ ଧରି ଷ୍ଟେସନର ବିଭିନ୍ନ ପ୍ଲାଟଫର୍ମ ବୁଲି ଦେଖିବା ପରେ ସନ୍ଧ୍ୟା ୭ଟା ୩୫ରେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଲେ; ଯେକୌଣସି ରେଳ ଷ୍ଟେସନ ଗୋଟିଏ ସହରର ହୃଦୟ ଅଟେ। ତେଣୁ ଭୁବନେଶ୍ୱର ରେଳ ଷ୍ଟେସନ ମଧ୍ୟ ଭୁବନେଶ୍ୱର ସହରର ହୃଦୟ ।

ଆମେ ଏହାକୁ ପରିଷ୍କାର, ପରିଷ୍କାର ଓ ସୁସ୍ଥ ରଖିବା ଜରୁରୀ । ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ରେଳ ଷ୍ଟେସନର ପରିଚ୍ଛନ୍ନତାକୁ ନେଇ ଯାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି। ‌ଷ୍ଟେସନର ପୂର୍ବ ପ୍ରବେଶପଥ ବିଷୟରେ ଅନେକ ସ୍ମାରକପତ୍ର ଗ୍ରହଣ କରିଛି । ତେଣୁ ତାହାକୁ ଯାଞ୍ଚ କରିବା ସହ କେଉଁଠି ଅସୁବିଧା ରହିଛି ତାହା ଅନୁଧ୍ୟାନ କରିଛି । ଯେତେଶୀଘ୍ର ସମ୍ଭବ ଏହାର ବିକାଶ କରାଯିବ । ଏହାପୂର୍ବରୁ ଭୁବନେଶ୍ୱର ରେଳଷ୍ଟେସନ ବୁଲି ଦେଖିଥିଲେ ରେଳ ମନ୍ତ୍ରୀ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଏବେ ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ।