କନକ ବ୍ୟୁରୋ : ବିଜେପିର ସଂସଦୀୟ କମିଟିର ଘୋଷଣା ଅନୁସାରେ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡିଶାରୁ ତୃତୀୟ ପ୍ରାର୍ଥୀଭାବେ ସେ ୨ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଦଳୀୟ ବିଧାୟକଙ୍କ ସହ ଯାଇ ବିଧାନସଭା ସମ୍ମିଳନୀ ପ୍ରକୋଷ୍ଠରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ୨୦ ଜଣ ବିଜେପି ବିଧାୟକ ପ୍ରସ୍ତାବକ ରହିଛନ୍ତି ।
ନାମାଙ୍କନ ଦାଖଲ କରିବା ପରେ ସବୁ ଶ୍ରେୟ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି ଅଶ୍ୱିନୀ । ସେବା କରିବା ପାଇଁ ତାଙ୍କୁ ଆଉ ଥରେ ସୁଯୋଗ ଦେଇଥିବାରୁ ସେଥିପାଇଁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଜଗନ୍ନାଥ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।
ଓଡ଼ିଶା ବିଧାନସଭାରେ ବିଜେପିର ମାତ୍ର ୨୨ ବିଧାୟକ ଅଛନ୍ତି । ଏଥିପାଇଁ ବିଜେପିର ପ୍ରାର୍ଥୀ ନିଜ ଦମରେ ନିର୍ବାଚନ ଜିତିପାରିବ ନାହିଁ । କିନ୍ତୁ ବିଜେଡି ସମର୍ଥନ ଘୋଷଣା କରିଥିବାରୁ ଅଶ୍ୱିନୀ ରାଜ୍ୟସଭାକୁ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । କିନ୍ତୁ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବାକୁ ଘୋଷଣା କରିବା ପରେ ସମାଲୋଚନା ଜାରି ରଖିଛି କଂଗ୍ରେସ ।
ରିଟର୍ଣ୍ଣିଂ ଅଫିସରଙ୍କ ସୂଚନା ଅନୁସାରେ ୩ଟି ଆସନ ପାଇଁ ତିନି ଜଣ ନାମାଙ୍କନ ଦାଖଲ କରିଛନ୍ତି । ତେଣୁ କୌଣସି ନିର୍ବାଚନ ହେବାର ଆବଶ୍ୟକତା ନାହିଁ । କିନ୍ତୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ସମୟ ସରିବା ପରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।