ରେଳ ପ୍ରକଳ୍ପକୁ ନେଇ ଦୋଷ ଲଦାଲଦି । ମାଗଣା ଜମି ସହ ୩୦୦ କୋଟି ଦେବା ପରେ କାହିଁକି ହୋଇନି କାମ? ବିଜେଡିର ପ୍ରଶ୍ନର ଜବାବ ରଖିଲେ ରେଳମନ୍ତ୍ରୀ 

745

କନକ ବ୍ୟୁରୋ: ପ୍ରଥମେ ଚାଷୀ ଆଉ ଏବେ ରେଳ ପ୍ରକଳ୍ପକୁ ନେଇ ପଦ୍ମପୁରରେ ଜୋର ଧରିଛି ରାଜନୀତି । ଉପ ନିର୍ବାଚନ ପୂର୍ବରୁ ପଦ୍ମପୁର ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ଜବାବ ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟ ସରକାରଙ୍କ ଅଧିନରେ ଥିବା ସଂସ୍ଥାକୁ ପ୍ରକଳ୍ପ କାର୍ଯ୍ୟର ଦାୟିତ୍ୱ ଦିଆଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

  • ରେଳ ପ୍ରକଳ୍ପକୁ ନେଇ ରାଜନୀତି 
  • ରାଜ୍ୟ କୋର୍ଟକୁ ବଲ ଫିଙ୍ଗିଲେ କେନ୍ଦ୍ରମନ୍ତ୍ରୀ 

ପଦ୍ମପୁର ରେଳ ପ୍ରକଳ୍ପ କାର୍ଯ୍ୟକୁ, ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଚିଠି ଲେଖିବା ପରେ ଜବାବ ରଖିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ଚିଠିରେ ଲେଖିଛନ୍ତି, ବରଗଡ-ପଦ୍ମପୁର-ନୂଆପଡାକୁ ସଂଯୋଗ କରିବା ପାଇଁ ଓଡି଼ଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ ବା ଓଆରଆଇଡିଏଲକୁ ପ୍ରକଳ୍ପର ଦାୟିତ୍ୱ ଦିଆଯାଇଛି । ଏହି ସଂସ୍ଥା ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ । ୩୧.୧୨.୨୦୨୧ ତାରିଖରେ ଏହି ସଂସ୍ଥାକୁ ରେଳ ମନ୍ତ୍ରାଳୟ ଚିଠି ଦ୍ୱାରା ଅନୁମୋଦନ ପଠାଇଛନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଓଡି଼ଶା ରାଜ୍ୟର ସାମଗ୍ରିକ ଲାଭ ପାଇଁ ଭାରତ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରନ୍ତୁ ।

ମନ୍ତ୍ରୀ ଟୁକୁନି ସାହୁ ଲେଖିଥିଲେ, ୨୦୧୮ ଡିସେମ୍ବର ୧୫ ତାରିଖରେ ବରଗଡ ଷ୍ଟେସନରୁ ପଦ୍ମପୁର ଦେଇ ନୂଆପଡା, ରୋଡ ଷ୍ଟେସନ ପର୍ଯ୍ୟନ୍ତ ଏକ ନୂତନ ରେଳଲାଇନ୍ ପ୍ରକଳ୍ପକୁ, କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ । ତାପରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ମଧ୍ୟ ଚିଠି ଲେଖିଥିଲେ  । କିନ୍ତୁ ଏପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ଇଟା ଖଣ୍ଡେ ପକାଇ ନାହାଁନ୍ତି କେନ୍ଦ୍ର ସରକାର । ତେଣୁ ତୁରନ୍ତ ପଦକ୍ଷେପ ନିଅନ୍ତୁ।

କେନ୍ଦ୍ର ରେଳ ମନ୍ତ୍ରୀ ଜବାବ ରଖିବା ପରେ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି । ବିଜେଡି କହିଛି, ମିଛ କହୁଛି ବିଜେପି । ପଦ୍ମପୁରବାସୀଙ୍କୁ କ୍ଷମା ମାଗୁ ବିଜେପି । ବିଜେପି ସାଂସଦ ସୁରେଶ ପୂଜାରୀ କାହାର ନାଁ ନେଇ ବିଜେଡି ନେତାଙ୍କୁ କାଉଁଟର କରିଛନ୍ତି । କହିଛନ୍ତି, ଜଣେ ସାଂସଦ ଓ ଜଣେ ମନ୍ତ୍ରୀ କିଛି ନଜାଣି ମନ୍ତବ୍ୟ ଦେଇଛନ୍ତି । ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଉଭୟ ଦଳଙ୍କୁ ଦୋଷ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ପଦ୍ମପୁର ଉପନିର୍ବାଚନରେ ରେଳ ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି । ଆଗାମୀ ଦିନରେ ଏହି ପ୍ରସଙ୍ଗ ଆହୁରି ରୋଚକ ହେବ ବୋଲି  ଚର୍ଚ୍ଚା ହେଉଛି ।