କନକ ବ୍ୟୁରୋ: ଭାରତୀୟ ରେଳ ବିଭାଗ ଲଗାତର ଟ୍ରେନରେ କଟି ବିଭିନ୍ନ ପଶୁଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକାଶ କରିଛି । ଏହାକୁ ନେଇ ବଡ ପଦକ୍ଷେପ ନେବାକୁ ଯାଉଛି ବିଭାଗ । ଭାରତୀୟ ରେଳବାଇ ବର୍ତ୍ତମାନ ଟ୍ରେନ ଟ୍ରାକର ଆଖ ପାଖରେ ଦୁର୍ଘଟଣା ରୋକିବା ପାଇଁ କିଛି ପରୀକ୍ଷାମୂଳକ ପଦକ୍ଷେପ ପାଇଁ ଯୋଜନା କରୁଛି । ‘ଫେସିଙ୍ଗ’ ଲଗାଇ ଦୁର୍ଘଟଣା ରୋକିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ସବୁ ଫେସିଙ୍ଗ ସେଠାରେ ଲାଗିବ ଯେଉଁଠାରେ ପଶୁଙ୍କ କଟିବାର ଅଧିକ ସମ୍ଭାବନା ରହିଛି । ଯଦି ତଥ୍ୟକୁ ଦେଖିବା ତେବେ ସରକାରୀ ହିସାବରେ ଏପ୍ରିଲ ୧ ତାରିଖ ପରଠାରୁ ବର୍ତ୍ତମାନ ସୁଦ୍ଧା ୨୬୫୦ରୁ ଅଧିକ ଜୀବଜନ୍ତୁଙ୍କର ଟ୍ରେନରେ କଟି ମୃତ୍ୟୁ ହୋଇଛି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଏହି ନିଷ୍ପତ୍ତି ନେଇଛି ରେଳ ବିଭାଗ । ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଥମେ ଫେସିଙ୍ଗକୁ ଉତ୍ତର ମଧ୍ୟ ରେଳ ଜୋନର ପ୍ରୟାଗରାଜ ବେଲଟରେ ଲଗାଯିବ ।

Advertisment

ରେଳବାଇର ସୂଚନା ଅନୁସାରେ ରେଳ ଟ୍ରାକର ଆଖପାଖରେ ୧ ହଜାର କିଲୋମିଟର ପାଚେରୀ ନିର୍ମାଣ କରାଯିବ । ଏହି କାମ ପାଇଁ ପାଖପାଖି ୫ରୁ ୬ ବର୍ଷର ସମୟ ଲାଗିବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଏନେଇ ସୂଚନା ଦେଇଛନ୍ତି । ଅକ୍ଟୋବର ମାସେରେ ପ୍ରଥମ ୯ ଦିନ ଭିତରେ ପାଖପାଖି ୨ ଶହ ଟ୍ରେନରେ ପଶୁ ବାଡେଇ ହୋଇଥିଲେ । ଏହାଦ୍ୱାରା ଟ୍ରେନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଏହି ତାଲିକାରେ ନୂଆ କରି ନିର୍ମାଣ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ସାମିଲ ରହିଛି । ଚଳିତ ବର୍ଷ ପାଖପାଖି ୪ ହଜାର ଟ୍ରେନ ମଧ୍ୟ ଏହିଭଳି ସମସ୍ୟାର ସାମ୍ନା କରିଛନ୍ତି ।