ଟ୍ରେନ୍ ଯାତାୟତ ପାଇଁ ଦାଉ ସାଜୁଛି କୁହୁଡ଼ି ! କୁହୁଡ଼ିରେ ରେଳ ସୁରକ୍ଷା ଚିନ୍ତା, ଗାଇଡଲାଇନ୍ ଜାରି କଲା ପୂର୍ବତଟ ରେଳପଥ

ଟ୍ରେନ୍ ଯାତାୟତ ପାଇଁ ଦାଉ ସାଜୁଛି କୁହୁଡ଼ି ! କୁହୁଡ଼ିରେ ରେଳ ସୁରକ୍ଷା ଚିନ୍ତା, ଗାଇଡଲାଇନ୍ ଜାରି କଲା ପୂର୍ବତଟ ରେଳପଥ

ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟରେ ପ୍ରବଳ କୁହୁଡ଼ି ହେଉଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନରେ ଗତିକୁ ନିୟନ୍ତ୍ରଣ କରିବାକୁ ଚାଳକମାନଙ୍କୁ କୁହାଯାଇଛି। ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦମାନଙ୍କ ଦ୍ୱାରା ରନିଙ୍ଗ ଷ୍ଟାଫ୍‌ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଘନ କୁହୁଡ଼ି ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ରଙ୍ଗ ପଟିକୁ ଓଏଚ୍ଇ ଖୁଣ୍ଟଗୁଡ଼ିକରେ, ଲେବଲ କ୍ରସିଂ ଓ ବ୍ୟସ୍ତବହୁଳ ଯାତାୟାତ ଅଞ୍ଚଳରେ ଥିବା ‘ଟ୍ରେନ୍ ଅଟକିବା ସଙ୍କେତ’ ପୂର୍ବରୁ ଲଗା ଯାଇଛି।

publive-image

ଘନ କୁହୁଡ଼ି ସମୟରେ ସୁରକ୍ଷିତ ଟ୍ରେନ୍ ଚଳାଚଳ ଲାଗି ପୂର୍ବତଟ ରେଳପଥର ମୁଖ୍ୟାଳୟରେ ଥିବା ସୁରକ୍ଷା ବିଭାଗ ପକ୍ଷରୁ ନିର୍ଦେଶାବଳୀ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଟ୍ରେନକୁ ଧୀରେ ଚଳାଇବାକୁ ଚାଳକ ଓ ଗାର୍ଡମାନଙ୍କୁ ନିର୍ଦେଶ ଦିଆଯାଉଛି। ଯଦି ଚାଳକ ସିଗନାଲ ଗୁଡିକୁ ଦେଖିବାକୁ ସକ୍ଷମ ନ ହୁଅନ୍ତି, ସିଗନାଲ ଖୁଣ୍ଟ ପୂର୍ବରୁ ଶବ୍ଦ ସୃଷ୍ଟି କରୁଥିବା ଡିଟୋନେଟରକୁ ପ୍ରୟୋଗ କରିବେ। ଫଳରେ ଟ୍ରେନ ସଙ୍କେତ ପାଖରେ ରହିପାରିବ। ଏହି ଡିଟୋନେଟର ଚେପଟା, ଡିସ୍କ ଭଳି ମେଟାଲ କଣ୍ଡକ୍ଟର ଓ ସାଧାରଣତଃ ନାଲି ରଙ୍ଗର, ଯାହାକି ଟ୍ରେନ ଚକ ତଳେ ବିସ୍ଫୋରକ ଶବ୍ଦ ସୃଷ୍ଟି କରିପାରୁଥିବ। ଷ୍ଟେସନ ମ୍ୟାନେଜରମାନଙ୍କୁ ପର୍ୟ୍ୟାପ୍ତ ମାତ୍ରାରେ ଡିଟୋନେଟର ଯୋଗାଇ ଦିଆଯାଇ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବ୍ୟବହାର କରିବାକୁ କୁହାଯାଇଛି। ସେହିପରି ଘନ କୁହୁଡ଼ି ଅଞ୍ଚଳରେ ଚାଳକମାନେ ଯେପରି ସ୍ଥିରୀକୃତ ସ୍ପିଡ-ଲିମିଟ୍ ଅତିକ୍ରମ ନ କରିବେ, ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ଗାର୍ଡମାନଙ୍କୁ କୁହାଯାଇଛି। ଘନ କୁହୁଡ଼ି ପରିସ୍ଥିତିରେ ସଙ୍କେତ ପାଇଁ ରେଳପଥ ପକ୍ଷରୁ ଅନୁମୋଦିତ ଡିଜାଇନର ରେଡ୍ ଟେଲ ଧପଧପି ଲ୍ୟାମ୍ପକୁ ଟ୍ରେନଗୁଡ଼ିକର ପଛରେ ଲଗାଯାଇଛି। ଯେପରିକି ପଛରୁ ଆସୁଥିବା ଟ୍ରେନ ଆଗରେ ଥିବା ଟ୍ରେନର ସ୍ଥିତିକୁ ଦେଖି ପାରିବ। କୁହୁଡ଼ି ସମୟରେ ଦିନରେ ମଧ୍ୟ ଧପଧପି ଏଲ୍ଇଡି ଲ୍ୟାମ୍ପ ବ୍ୟବହାର କରିବାକୁ ଗାର୍ଡମାନଙ୍କୁ କୁହାଯାଇଛି।

publive-image

ଜଗୁଆଳି ଥିବା ଲେବଲ କ୍ରସିଂ ଗେଟରେ ବ୍ୟାରିୟରରେ ଚକମକି ସଙ୍କେତ ଚିହ୍ନ ଓ ଟ୍ରେନର ପଛ ଡବାରେ ଏଭଳି ସଙ୍କେତ ଚିହ୍ନକୁ ଉପଯୋଗ କରାଯାଇଛି। ଶୀତ ଦିନରେ ଘନ କୁହୁଡ଼ି ସୃଷ୍ଟି ହେଉଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ରେଳ କର୍ମଚାରୀମାନଙ୍କୁ ପାଟ୍ରୋଲିଙ୍ଗ କରିବା ପାଇଁ କୁହାଯାଇଛି। ଫଳରେ ଟ୍ରେନ୍ ଚଳାଚଳରେ ଯେପରି ବ୍ୟାଘାତ ନ ଉପୁଜିବ। ଏହା ବ୍ୟତୀତ ଅକସ୍ମାତ ତନଖି ସହ ଟ୍ରେନ୍ ଇଞ୍ଜିନଗୁଡ଼ିକରେ ଅତର୍କିତ ରାତିଅଧିଆ ଓ ଭୋର ସମୟଗୁଡ଼ିକରେ ନିରୀକ୍ଷଣ କରାଯାଉଛି। ଯେତେବେଳେ ଟ୍ରେନ୍ ଚାଳକ ଅନୁଭବ କରିବେ ଯେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ହେବାକୁ ପ୍ରତିବନ୍ଧକ ଅଛି, ସେତେବେଳେ ସେମାନେ କୌଣସି ଶଙ୍କା ନକରି ଟ୍ରେନରେ ବେଗକୁ କମାଇ ପାରିବେ। ଏହି ସମୟରେ ଟ୍ରେନର ଗତି ଯେପରି ଘଣ୍ଟା ପ୍ରତି ୬୦ କିମି ଅତିକ୍ରମ ନ କରେ, ସେଥିପ୍ରତି ଧ୍ୟାନ ଦେବା ଓ କ୍ରମାଗତ ଭାବେ ହୁଇସିଲ ମାରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe