କନକ ବ୍ୟୁରୋ : ‘ଭିଣ୍ଟେଜ୍ ଷ୍ଟିମ୍ ଇଞ୍ଜିନ’କୁ ବେଆଇନ ଭାବେ ରଦ୍ଦି ସାମଗ୍ରୀ (ସ୍କ୍ରାପ୍) ବୋଲି ଦର୍ଶାଇ ବିକ୍ରୟ କରିବାକୁ ଉଦ୍ୟମ କରିଥିବା ବିହାରର ଜଣେ ରେଳବାଇ ଇଞ୍ଜିନିୟରଙ୍କୁ ମଙ୍ଗଳବାର ଦିନ ନିଲମ୍ବିତ କରାଯାଇଛି। ପୁରନିଆ ଜିଲ୍ଲାର ଉକ୍ତ ଇଞ୍ଜିନିୟର୍ ରାଜୀବ ରଞ୍ଜନ ଝା ଏବଂ ଏଥିରେ ସମ୍ପୃକ୍ତ ଥିବା ଆଉ ୬ଜଣଙ୍କ ନାମରେ ‘ଏଫ୍ଆଇଆର୍’ ମଧ୍ୟ ରୁଜୁ କରାଯାଇଛି ।
ସମସ୍ତୀପୁର ରେଳବାଇ ଉପଖଣ୍ଡର ‘ଡିଭିଜିନାଲ୍ ସିକ୍ୟୁରିଟି କମିସନର୍’ ଏ. କେ. ଲାଲ୍ ଗଣମାଧ୍ୟମକୁ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଏକ ଟିମ୍ ଗଠନ କରାଯାଇଥିଲା। ଉକ୍ତ ସାମଗ୍ରୀଗୁଡ଼ିକୁ ମଧ୍ୟ ଉଦ୍ଧାର କରାଯାଇଛି।
‘ପୂର୍ବ କେନ୍ଦ୍ରୀୟ ରେଳବାଇ’ ଅଧୀନରେ ଆସୁଥିବା ସମସ୍ତୀପୁର ଉପଖଣ୍ଡର ଡି.ଆର୍.ଏମ୍. ଆଲୋକ ଅଗ୍ରୱାଲ୍ କହିଛନ୍ତି, ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଇଟା ଗୋଟାଏ ଅସାଧାରଣ ଘଟଣା। ରେଳବାଇ ବିଶ୍ବାସରେ କାର୍ଯ୍ୟକରୁଥିବା ବେଳେ କେହି ଜଣେ ବିଶ୍ବାସଘାତକତା କରିଛି।
ସୂଚନା ଅନୁସାରେ, ସର୍ବସାଧାରଣଙ୍କ ଦର୍ଶନାର୍ଥେ ପୁରନିଆରେ ରଖାଯାଇଥିବା ଗୋଟାଏ ‘ମିଟର୍ ଗେଜ୍ ଇଞ୍ଜିନ୍’କୁ ଡିସେମ୍ବର ୧୪ ତାରିଖ ଦିନ ସୁଶୀଳ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ସହାୟତାରେ ଗ୍ୟାସ୍ କଟରରେ ଇଞ୍ଜିନିୟର୍ ଝା’ ଖୋଲିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡ଼ିଥିଲେ। ‘ଆରଇପିଏଫ୍’ ଫାଣ୍ଡିରେ ଅବସ୍ଥାପିତ ସବ୍-ଇନ୍ସ୍ପେକ୍ଟର୍ ଏମ୍. ଏମ୍. ରେହମନ୍ ଆସି ଅନୁସନ୍ଧାନ କରିବାରୁ ଇଞ୍ଜିନିୟର୍ ଝା’ ତାଙ୍କୁ ‘ଡିଭିଜ୍ନାଲ୍ ମେକାନିକାଲ୍ ଇଞ୍ଜିନିୟର୍’ଙ୍କ ଆଦେଶ ଥିବା ଏକ ପତ୍ର ଦେଖାଇଲେ। ସେଥିରେ ଉଲ୍ଲେଖ ଥିଲା କି, ଉକ୍ତ ଇଞ୍ଜିନ୍ରୁ ରଦ୍ଦି ସାମଗ୍ରୀଗୁଡ଼ିକୁ ବାହାର କରି ନିକଟବର୍ତ୍ତୀ ଡିଜେଲ୍ ଲୋକୋମୋଟିଭ୍ ସେଡ୍କୁ ନିଆଯିବ।
ରଦ୍ଦି ସାମଗ୍ରୀଗୁଡ଼ିକୁ ଗୋଟାଏ ପିକ୍-ଅପ୍ ଭ୍ୟାନ୍ର ଲଦି ଘଟଣାସ୍ଥଳ ଛାଡ଼ିବା ପୂର୍ବରୁ ଝା’ ମଧ୍ୟ ରେହମନ୍ଙ୍କୁ ଏକ ମେମୋ ଲେଖି ଦେଇଥିଲେ। କିନ୍ତୁ, ରଦ୍ଦି ସାମଗ୍ରୀ ଡିଜେଲ୍ ସେଡ୍ରେ ପହଞ୍ଚି ନାହିଁ ବୋଲି ତହିଁ ଆର ଦିନ ‘ଆର୍ପିଏଫ୍’ କର୍ମଚାରୀ ସଙ୍ଗୀତା ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଅଧିକ ତଦନ୍ତ ପରେ ଜଣାପଡ଼ିଲା ଯେ, ଝା’ ଦେଖାଇଥିବା ଚିଠିଟି ଜାଲ୍, ରଦ୍ଦି ସାମଗ୍ରୀ ନେବା ପାଇଁ କୌଣସି ଆଦେଶ ଜାରି ହୋଇ ନ ଥିଲା।