କନକ ବ୍ୟୁରୋ : ଦେଶର ରେଳ ଷ୍ଟେସନରେ ବି ଖୁବଶୀଘ୍ର ଆପଣଙ୍କୁ ଡିଜିଟାଲ ସେବା ମିଳିବାକୁ ଯାଉଛି । ଏହି କ୍ରମରେ ଆପଣମାନେ ରେଳ ଷ୍ଟେସନରେ ଆଧାର କାର୍ଡ, ପାନ କାର୍ଡ ପ୍ରସ୍ତୁତ କରିବା ସହ ଟ୍ୟାକ୍ସ ଓ ବିଜୁଳି ବିଲ ବି ଦେଇପାରିବେ । ଏହି ଡିଜିଟାଲ ସେବା ପ୍ରଥମଥର ପାଇଁ ଉତ୍ତର ପ୍ରଦେଶର ବାରଣାସୀ ଓ ପ୍ରୟାଗରାଜ ରେଳ ଷ୍ଟେସନରେ ଆରମ୍ଭ ହୋଇଛି । ଏହି କିଓସ୍କୋର ନାମ ରେଲୱେର ସାଥି କିଓସ୍କୋ ରଖାଯାଇଛି ।
ଏହି ଡିଜିଟାଲ ସେବାଗୁଡିକୁ ‘ସିଏସି ଇ-ଗଭନାନ୍ସ ସର୍ଭିସେସ ଇଣ୍ଡିଆ ଲିମିଟେଡ’ ଓ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରଣାଳୟ ସହିତ ମିଳିତ ଭାବେ ଆରମ୍ଭ କରାଯାଇଛି । ସୂଚନା ମୁତାବକ ଖୁବଶୀଘ୍ର ଦେଶର ୨୦୦ ଟି ରେଳ ଷ୍ଟେସନରେ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଏହି ସେବା ଆରମ୍ଭ ହେବା ପରେ ଯାତ୍ରୀମାନେ ମୋବାଇଲ ଫୋନ ରିଚାର୍ଜ, ବିଜୁଳି ବିଲ ଦେୟ ବି ରେଳ ଷ୍ଟେସନରେ ଦେଇପାରିବେ ।
ଆଗାମୀ ଦିନରେ ଏହିସବୁ ସେବା ବିଶେଷ କରି ଦକ୍ଷିଣ ମଧ୍ୟ ରେଲୱେ କ୍ଷେତ୍ରର ୪୪ ଟି ଷ୍ଟେସନ, ନର୍ଥ ଫ୍ରଣ୍ଟିୟର ରେଲୱେର ୨୦ ଟି ଷ୍ଟେସନ, ପୂର୍ବ ମଧ୍ୟ ରେଲୱେର ୧୩ ଟି ଷ୍ଟେସନ, ପଶ୍ଚିମ ରେଲୱେର ୧୫ ଟି ଷ୍ଟେସନ, ଉତ୍ତର ରେଲୱେର ୨୫ ଟି ଷ୍ଟେସନ, ପଶ୍ଚିମ ମଧ୍ୟ ରେଲୱେର ୧୨ ଟି ଷ୍ଟେସନ, ପୂର୍ବତଟ ରେଲୱେର ୧୩ ଟି ଓ ପୂର୍ବତ୍ତୋର ରେଲୱେର ୫୬ ଟି ଷ୍ଟେସନରେ ଆରମ୍ଭ ହେବାକୁ ଯାଉଛି ।
ଏବେ ରେଲଟେଲ ତରଫରୁ ୬,୦୯୦ ଟି ଷ୍ଟେସନରେ ସାର୍ବଜନିକ ୱାଇ-ଫାଇ ରେଲୱେର କ୍ରମରେ ସେବା ଯୋଗାଇ ଦିଆଯାଉଛି । ଏହା ବିଶ୍ୱର ସବୁଠୁ ବଡ ଏକିକୃତ ୱାଇ-ଫାଇ ମଧ୍ୟରୁ ଅନ୍ୟତମ । ଏହା ମଧ୍ୟରେ ୫ ହଜାର ଗ୍ରାମୀଣ ଇଲାକା ରହିଛି । ରେଲଟେଲ ସିଏସସି ସହ ମିଳିତ ଭାବେ ଗ୍ରାମୀଣ କ୍ଷେତ୍ରରେ ବ୍ରୋଡବ୍ୟାଣ୍ଡ ସେବା ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ କରୁଛି ।