ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳରୋକ । ଲଖିମପୁର ହିଂସା ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ କୃଷି ଆଇନ ପ୍ରତ୍ୟାହାର ଦାବି ।

50

କନକ ବ୍ୟୁରୋ: ଲଖିମପୁର ହିଂସା କାଣ୍ଡକୁ ନେଇ ସାରା ଦେଶରେ ଆନ୍ଦାଳନ । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବି ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ସୋମବାର ରେଳ ବନ୍ଦ ଡାକରା ଦେଇଥିଲା । ଫଳରେ ସାରା ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଏହାକୁ ସମର୍ଥନ ଜଣାଇ ବିଭିନ୍ନ ଚାଷୀ ସଂଗଠନ ରେଳ ଧାରଣାକୁ ଓହ୍ଲାଇଥିଲେ । ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶର ଶହ ଶହ ଚାଷୀ ରେଳ ଧାରଣାରେ ବସି ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଫଳରେ ରେଳ ସେବା ପ୍ରଭାବିତ ହୋଇଛି । ଟ୍ରେନ ଚଳାଚଳ ବନ୍ଦ ହେବାରୁ ଯାତ୍ରୀ ଅନେକ ସମସ୍ୟା ଭୋଗିଛନ୍ତି ।

ଦେଶବ୍ୟାପି ଚାଲିଥିବା ରେଳ ରୋକ ଆନ୍ଦୋଳନରେ ରେଳ ସେବା ସର୍ମ୍ପୂଣ୍ଣ ଭାବେ ପ୍ରଭାବିତ ହୋଇଛି । ତେବେ ଏହି ଆନ୍ଦାଳନ ଭିତରେ ଯେପରି କିଛି ଅଘଟଣ ନଘଟୁ ତାହାକୁ ନେଇ ପୋଲିସ ଓ ପ୍ରଶାସନ ସଜାଗ ରହିଛି । ଦେଶର ବିଭିନ୍ନ ରେଳ ଷ୍ଟେସନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟେ ଯେପର୍ଯ୍ୟନ୍ତ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ତାଙ୍କ ପଦରୁ ବହିଷ୍କାର ଓ ଗିରଫ ନ କରାଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । କୃଷକଙ୍କ ରେଳ ରୋକ ଆନ୍ଦୋଳନରେ ହନ୍ତସନ୍ତ ହୋଇଛନ୍ତି ସାଧାରଣ ଲୋକେ । ଯାତ୍ରୀ ଷ୍ଟେସନରେ ବସି ଅପେକ୍ଷା କରି ରହିଛନ୍ତି କେବେ ଏ ଆନ୍ଦୋଳନ ସରିବ ଆଉ କେବେ ରେଳ ସେବା ସ୍ୱାଭାବିକ ହେବ ।