କେନ୍ଦ୍ର ବଜେଟରେ ଓଡ଼ିଶାକୁ ମିଳିବ ୬ ହଜାର କୋଟି । ପାରାଦୀପ-ହରିଦାସପୁର ରେଳ ଲାଇନ ପାଇଁ ୪୦୦ କୋଟି, ୧୦ଟି ନୂଆ ଫ୍ଲାଇଓଭର ନିର୍ମାଣ ପାଇଁ ସର୍ଭେ କରିବାକୁ ବଜେଟରେ ଘୋଷଣା ।

321

କନକ ବ୍ୟୁରୋ : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ଓଡିଶାକୁ ରେଳ ଅନୁଦାନ । ଓଡ଼ିଶା ପାଇଁ ମୋଟ ୫୮୦୦ରୁ ୬୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯେଉଁଥିରେ ବିଭିନ୍ନ ନୂଆ ପ୍ରକଳ୍ପ ସହ ଓଭରବ୍ରିଜ ନିର୍ମାଣ କରାଯିବ । ଯାତ୍ରୀଙ୍କ ସୁବିଧା ପାଇଁ ବଜେଟରେ ୧୮୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ବଜେଟରେ ଭୁବନେଶ୍ୱର କୋଚ୍ ଡିପୋରେ ୨ଟି ଅଟୋମେଟିକ ୱାଶିଂ ପ୍ଲାଣ୍ଟ ପାଇଁ ଅନୁଦାନ ଦିଆଯାଇଛି ।ସେହିଭଳି ବାଘୁଆପାଳ ଷ୍ଟେସନରେ ଫ୍ଲାଇଓଭର ନିର୍ମାଣ ପାଇଁ ବଜେଟରେ ଘୋଷଣା କରାଯାଇଛି । ସେହିଭଳି ଆଉ ୧୦ଟି ଫ୍ଲାଇଓଭର ନିର୍ମାଣ ପାଇଁ ସର୍ଭେ କରିବାକୁ ବଜେଟରେ ଘୋଷଣା କରାଯାଇଛି ।

ସେହିଭଳି ୫ ନୂଆ ପ୍ରକଳ୍ପ ପାଇଁ ସର୍ଭେ କରିବାକୁ ବଜେଟରେ ଘୋଷଣା କରାଯାଇଥିବା ବେଳେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୩୫୦ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପାଇଁ ୨୫୦ କୋଟି, ବହୁ ପ୍ରତୀକ୍ଷିତ ପାରାଦୀପ-ହରିଦାସପୁର ରେଳ ଲାଇନ ପାଇଁ ୪୦୦ କୋଟି ଟଙ୍କା ବଜେଟରେ ଘୋଷଣା କରାଯାଇଛି । ସେହିଭଳି ତାଳଚେର-ବିମଳାଗଡ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ରେଳ ଲାଇନ ପାଇଁ ୭୦ କୋଟି, ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ରେଳ ବଜେଟରେ ଘୋଷଣା କରାଯାଇଛି ।

ସମ୍ବଲପୁର-ତାଳଚେର ଡବଲ ଲାଇନ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟିଲାଗଡ ଡବଲ ଲାଇନ ପାଇଁ ୧୭୦ କୋଟି ଟଙ୍କା ବଜେଟରେ ଘୋଷଣା କରାଯାଇଛି । ଏହାଛଡା କୋରାପୁଟ-ସିଙ୍ଗାପୁର ରୋଡ ପାଇଁ ୨୦୫ କୋଟି ଟଙ୍କା ଅନୁଦାନ ଘୋଷଣା କରାଯାଇଛି । ସେହିଭଳି ଗହଳି ଦୂର କରିବା ପାଇଁ କଟକରେ ମାଲବାହୀ ଟ୍ରେନ ପାଇଁ ଫ୍ଲାଇଓଭର ନିର୍ମାଣ ପାଇଁ ସର୍ଭେ କରିବାକୁ ବଜେଟରେ ଘୋଷଣା କରାଯାଇଛି ।