ରେଳ ଦୁର୍ଘଟଣାକୁ ନେଇ ରାଜନୀତି: ରେଳମନ୍ତ୍ରାଳୟ ଓ କେନ୍ଦ୍ରସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ

40

କନକ ବ୍ୟୁରୋ: ରବିବାର ବିଜୟନଗରମ ରେଳଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟର ବର୍ଷା ହୋଇଥିଲା । ଆହତ ଓ ମୃତକଙ୍କ ପରିବାର ପରି ସମବେଦନ ଜଣାଇବା ସହ ବରିଷ୍ଠ ବିରୋଧୀ ଦଳ ନେତା ରେଳମନ୍ତ୍ରାଳୟ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ବାଣ କରିଥିଲେ । କାହିଁକି ବାରମ୍ବାର ଘଟୁଛି ରେଳଦୁର୍ଘଟଣା? ଏହା ପାଇଁ ଦାୟୀ କିଏ? ନିରୀହ ଯାତ୍ରୀଙ୍କ ଜୀବନ ପ୍ରତି କ’ଣ ସରକାରଙ୍କ ଦୟା ନାହି? ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ ବିରୋଧୀଦଳଗୁଡିକ ।

୫ମାସ ଭିତରେ ଦେଶ ଦେଖିଲାଣି ଦୁଇଟି ବଡ ରେଳ ଦୁର୍ଘଟଣା । ବାହାନଗା ରେଳଦୁର୍ଘଟଣା ମନରୁ ଲିଭୁଣୁ ପୁଣି ଥରେ ରେଳଦୁର୍ଘଟଣା ଘଟିଛି । ପ୍ରାଥମିକ ତଦନ୍ତରୁ ଦୁର୍ଘଟଣା ପଛର କାରଣ ମନୁଷ୍ୟକୃତ ବୋଲି ଜଣାପଡିଛି । ରେଳ ବିଭାଗର ତଦନ୍ତକୁ ଆଧାର କରି ବିଜୟନଗରମ୍ ପ୍ରଶାସନର ସୂଚନା ଦେଇଛିି । କହିଛନ୍ତି ରାୟଗଡ଼ ବିଶାଖାପାଟଣା ଲୋକୋ ପାଇଲଟ୍ଙ୍କ ତ୍ରୁଟି ଯୋଗୁଁ ଘଟିଛି ଦୁର୍ଘଟଣା । ରେଡ୍ ସିଗନାଲ ପାଇ ଟ୍ରାକ ଉପରେ ଅଟକି ଥିଲା ପଲାସା ପାସେଂଜର ଟ୍ରେନ । ରାୟଗଡ଼ା ବିଶାଖାପାଟଣା ପାସେଂଜରକୁ ମଧ୍ୟ ରେଡ୍ ସିଗନାଲ ଦିଆଯାଇଥିଲା । ରେଡ୍ ସିଗନାଲକୁ ଅଣ ଦେଖା କରିଥିଲେ ରାୟଗଡ଼ା ଲୋକୋ ପାଏଲଟ । ଦ୍ରୁତ ଗତିରେ ପଲାସା ପାସେଂଜରକୁ ପିଟିଥିଲା ରାୟଗଡ଼ା ପାସେଞ୍ଜର । ସେପଟେ ରେଳମନ୍ତ୍ରାଳ ଓ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ।

ବିଜୟନଗରମ ଟ୍ରେନ ଦୁର୍ଘଟଣାର ଶେଷ ହୋଇଛି ରେସ୍କ୍ୟୁ ଅପରେସନ । ଦୁର୍ଘଟଣାରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ କୌଣସି ବ୍ୟକ୍ତି ବଗି ତଳେ ଚାପି ହୋଇ ରହିନାହାନ୍ତି । ଦୁର୍ଘଟଣା ସ୍ଥଳରେ ମଧ୍ୟ ପହଂଚିଛନ୍ତି କମିଶନର ଅଫ ରେଲ ସେଫଟି । ଟ୍ରାଏଲ ରନ୍ ମଧ୍ୟ ଆରମ୍ଭ ହୋଇଛି । ସେପଟେ ଟ୍ରେନ ଦୁର୍ଘଟଣାରେ ମୃତୁୃ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ୫୦ରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି ।

ଡାକ୍ତରଖାନାରେ ପହଁଚି ଆହତଙ୍କୁ ଭେଟିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ରବିବାର ସଂଧ୍ୟାରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତୀ ବିଜୟନଗରମ୍ ଜିଲ୍ଲା କାଂଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା । ସଂଧ୍ୟା ୭ଟା ସମୟରେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଂଟକାପାଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା ପଲାସା-ବିଶାଖାପାଟଣା ପାସେଂଜର ଟ୍ରେନ୍ । ଠିକ୍ ଏହି ସମୟରେ ବିଶାଖାପାଟଣା-ରାୟଗଡ଼ା ପାସେଂଜର ଟ୍ରେନ ପଛ ପଟୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି ।