ଧୀରଜ ସାହୁଙ୍କ ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ଠିକଣାରେ ଆଜି ବି ଚାଲିଛି ରେଡ୍ । କନକ ନ୍ୟୁଜ୍ ହାତରେ ସମ୍ବଲପୁର ଷ୍ଟେଟ ବ୍ୟାଙ୍କରେ ଟଙ୍କା ଗଣାର ଏକ୍ସକ୍ଳୁସିଭ ଭିଜୁଆଲ ।

340

କନକ ବ୍ୟୁରୋ: ମଦ ବ୍ୟବସାୟୀ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଆଜି ବି ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି ଆୟକର ଅଧିକାରୀ । ବଲାଙ୍ଗୀରରେ ପହଂଚିଛି ହାଇଦ୍ରାବାଦର ଆନାଲିସିସ୍ ଟିମ୍ । ୨୫ ଜଣିଆ ଆନାଲିସିସ୍ ଟିମ୍ ବଲାଙ୍ଗୀରରେ ପହଂଚିଛନ୍ତି । ଏମାନେ ଚଡାଉ ହେଉଥିବା ସ୍ଥାନରେ କମ୍ପ୍ୟୁଟରର ଯାଂଚ କରିବେ । ଟଙ୍କା ନେଣଦେଣ ତର୍ଜମା କରିବେ । ସେହିପରି ବଡ଼ ଚଢାଉ ପାଇଁ ଆୟକର ବିଭାଗର ୧୫୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ଏମାନେ ବିଭିନ୍ନ ସ୍ଥାନରେ ଚଢାଉରେ ସାମିଲ ହୋଇଛନ୍ତି ।

ଶୁକ୍ରବାର ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଥିଲା । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ ବେଳେ ପ୍ରାୟ ୫୦ କୋଟି ଟଙ୍କା ଜବତ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି ।