ରାଜ୍ୟରେ ବଡ ଧରଣର ଆଇଟି ରେଡ୍ । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢଉ  । ନଗଦ ୨୦୦ କୋଟି ଟଙ୍କା ଜବତ  । ଚଢଉ ଜାରି ।   

1,727

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଅମାପ ସମ୍ପତ୍ତି । ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ଘର ଚଟାଣ ହେଉ କି ପଲଙ୍କ, ରୋଷେଇ ଘର ହେଉ ଅବା ଡ୍ରଇଂ ରୁମ, ଯେଉଁଠି ଖୋଜିଲେ ସେଇଠୁ ମିଳୁଛି ଟଙ୍କା ।

ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ମଦ ବ୍ୟବସାୟୀ  ରାଜକିଶୋର ସାହୁ ଏବଂ ଦବରାଜ ସାହୁଙ୍କ ମଦ ପ୍ରସ୍ତୁତ କାରଖାନାରେ ଚଢାଉ କରିବା ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୧୦୦ ଟଙ୍କିଆରୁ  ୫୦୦ ଟଙ୍କିଆ ନୋଟର ବିଡା ଦେଖି ତାଜୁବ ହୋଇଯାଇଛନ୍ତିି ଆୟକର ଅଧିକାରୀ । ଗତକାଲି ଠାରୁ ବୌଦ୍ଧ, ରାଉରକେଲା, ଭୁବନେଶ୍ୱର ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା ସମେତ  ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏବେ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କା ଅଧିକାରୀମାନେ ଗଣିସାରିଲେଣି । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି ।

ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି  ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି ।  ଆୟକର ବିଭାଗର ୧୫ରୁ ଅଧି ଟିମ୍ ଏକା ସାଙ୍ଗରେ ଚଢାଉ କରୁଛନ୍ତି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ କୋଲକତା ଏବ ରାଚିଂରେ ଥିବା ରାଜକିଶୋର ସାହୁଙ୍କ ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି ।