IFS ଅଭୟଙ୍କ ପୁଅ ଆକାଶଙ୍କୁ ହେପାଜତକୁ ନେଲା ଭିଜିଲାନ୍ସ । ରାଜସ୍ଥାନରରେ ରାଜକୀୟ ଠାଣିରେ ବାହାଘର ପାଇଁ ବୁକ୍ ହୋଇଥିଲା ବିଳାଶପୂର୍ଣ୍ଣ ମହଲ, ପୂର୍ବତନ ମନ୍ତ୍ରୀଙ୍କ ଝିଅଙ୍କ ସହ ସ୍ଥିର ହୋଇଥିଲା ବିବାହ ।

763

କନକ ବ୍ୟୁରୋ : ବାପା ପଇସାରେ ଅଏସ କରୁଥିବା ପୁଅ ଆକାଶ ପାଠକକୁ ହେପାଜତରେ ନେଲା ଭିଜିଲାନ୍ସ । ଆଉ କିଛି ସମୟ ପରେ ତାଙ୍କୁ ନେଇ ଭୁବନେଶ୍ୱର ପହଞ୍ଚିବ ଭିଜିଲାନ୍ସ । ବାପା ଅଭୟ ପାଠକ ଓ ପୁଅ ଆକାଶ ପାଠକର କଳାକାରନାମା ଦେଖି ଭିଜିଲାନ୍ସର ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପୁଅ ଆକାଶ ପାଠକର ବାହାଘର ପାଇଁ ରାଜକୀୟ ପ୍ରସ୍ତୁତି ହୋଇଥିଲା । ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ଆକାଶର ବାହାଘର ସ୍ଥିର ହୋଇଥିଲା । ରାଜସ୍ଥାନର ଉଦୟପୁରରେ ବିଳାସପୂର୍ଣ୍ଣ ହୋଟେଲ ବୁକ୍ କରାଯାଇଥିଲା । ଏବଂ ଡେଷ୍ଟିନେସନ୍ ୱେଡିଂ ପାଇଁ ଫ୍ଲାଇଟ୍ ଟିକଟ ସମେତ ଅତିଥିଙ୍କ ପାଇଁ ଉଦୟପୁରରେ ବଡ ବଡ ବିଳାସପୂର୍ଣ୍ଣ ହୋଟେଲ ବୁକ୍ କରାଯାଇଥିଲା । ସେପଟେ ଏମାନଙ୍କ ସଂପତିର ହିସାବ ସରୁନିି । ଲକଡାଉନ୍ ସମୟରେ ବିମାନ ଭଡାରେ ନେଇ ଆକାଶରେ ଉଡୁଥିବା ବାପା-ପୁଅଙ୍କ ସମ୍ପତିର ହିସାବ କିତାବ ଜାରି ରଖିଛନ୍ତି ଭିଜିଲାନ୍ସର ଦେଢଶହ ଅଧିକାରୀ ।

ରାଜସ୍ଥାନର ଉଦୟପୁରରେ ଚାଲିଥିଲା ଆଇଏଫଏସ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିବାହର ପ୍ରସ୍ତୁତି । ଯେଉଁଠି ଅମ୍ବାନୀ ପରିବାର ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ବଡ ବଡ ଶିଳ୍ପପତି ଓ ସେଲିବ୍ରେଟିଙ୍କ ବାହାଘର ହୁଏ, ସେଭଳି ସ୍ଥାନରେ ଏକ ବିରାଟ ଓ ବିଳାସମୟ ହୋଟେଲ ବୁକ୍ ହୋଇଥିଲା ଆକାଶ ପାଠକଙ୍କ ବାହାଘର ପାଇଁ । ଡେଷ୍ଟିନେସନ୍ ୱେଡିଂରେ ଶତାଧିକ ଅତିଥିଙ୍କ ପାଇଁ ବିଳାସମୟ ହୋଟେଲ ବୁକ କରାଯାଇଥିଲା ଓ ଫ୍ଲାଇଟରେ ଯିବା ଆସିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା ।

ଚର୍ଚ୍ଚା ଅନୁସାରେ, ଜଣେ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ବିଧାୟକଙ୍କ ଝିଅଙ୍କ ସହ ବିବାହ କରିବାକୁ ଯାଉଥିଲେ ଆକାଶ ପାଠକ । ଯାହାକୁ ନେଇ ବିଧାନସଭା ପରିସରରେ ମଧ୍ୟ ଆଲୋଚନା ହୋଇଛି ।

ଜଣେ ସରକାରୀ ଚାକିରିଆ ଏତେ ବଡ ଆୟୋଜନ କେମିତି କରି ପାରିବ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ପାଠକ ବାପା-ପୁଅଙ୍କ ପାଇଁ ଏସବୁ ବାଁ ହାତର ଖେଳଥିଲା । ଯେମିତି ଚାହୁଁଥିଲେ ସେମିତି କରୁଥିଲେ, କେତେବେଳେ ବିମାନକୁ ଭଡାରେ ନେଇ ଆକାଶରେ ଉଡି ଲକଡାଉନର ମଜା ନେଉଥିଲେ ତ ଆଉ କେତେବେଳେ ବଡ ବଡ ଫାର୍ମ ହାଉସ ଭଡାରେ ନେଇ ରାଜକୀୟ ଠାଣିରେ ସମୟ କାଟୁଥିଲେ । କାରଣ ଏ ଟଙ୍କା ପାଇବା ପାଇଁ ପରିଶ୍ରମ କରିବାକୁ ପଡୁନଥିଲା, ଜଙ୍ଗଲ ବିଭାଗରେ ଜଙ୍ଗଲୀ ରାଜ କରି କୋଟି କୋଟି ଟଙ୍କା ଆତ୍ମସାତ କରୁଥିଲେ ।

ଏପଟେ ପୁଅ ଆକାଶ ପାଠକ ନାଁରେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଆକାଶ ଟାଟା ମୋଟର୍ସର ପୁନେ ପ୍ୟାସେଂଜର ଡିଭିଜନର ଚିଫ୍ ଏକଜିକ୍ୟୁଟିଭ ଅଫିସର ବୋଲି ନିଜକୁ ପରିଚୟ ଦେଇ ବହୁ ଟଙ୍କା ଠକି ନେଉଥିଲେ । ଚାକିରି ଦେବେ ବୋଲି କହି ସେ ଏହି ଠକେଇ କରି ଚାଲିଥିଲେ । ଏବଂ ତାଙ୍କ ନାଁରେ ଟାଟା କମ୍ପାନୀ ତରଫରୁ ଗତ ମେ’ ମାସରେ ପୁଲିସ ପାଖରେ ଅଭିଯୋଗ କରାଯାଇଥିଲା । ତାଙ୍କ ଠାରୁ ନକଲି ଆଇଡି କାର୍ଡ, ଭିଜିଟିଙ୍ଗ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା ।