କନକ ବ୍ୟୁରୋ : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପୈତୃକ ଘରେ ପୁଲିସର ଚଢ଼ାଉ । ଭାଇ, ମାଆକୁ ମହିଳା ଥାନା ପୋଲିସଙ୍କ ପଚରାଉଚରା । ଖୋଲିଲା ଗୁପ୍ତକୋଠରୀ ତଥା ଫାର୍ମହାଉସର ରହସ୍ୟ । ଯାହା ରମେଶଙ୍କ ବିଷୟରେ ଖୋଲିଛି ଅନେକ ଗୁମର । ଗତକାଲି ରାତିରେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ପୈତୃକ ଗାଁ ଅଢ଼ଙ୍ଗା ସିଂଘାଳରେ ପହଂଚିଥିଲେ ମହିଳା ଥାନା ପୋଲିସ । ମହିଳା ଥାନା ଇନିସପେକ୍ଟର ସନ୍ତୋଷିନୀ ବେହେରା ସହ ୨ଜଣିଆ ପୋଲିସ ଟିମ୍ ସେଠାରେ ପହଂଚିଥିଲେ ।

Advertisment

ରମେଶଙ୍କ ମାଆ ଗୌରୀ ସ୍ୱାଇଁ, ଭାଇ ଉମେଶ ସ୍ୱାଇଁଙ୍କୁ ପଚରାଉଚରା କରିଥିଲେ । ସୂଚନା ଅନୁସାରେ ଗୁପ୍ତ କୋଠରୀଟି ଘର ଠାରୁ ଦୂରରେ ଭଗବାନପୁରରେ ଥିଲା । କୁକୁଡ଼ା ଫାର୍ମ ହାଉସ ସହ ସେଠାରେ ରମେଶ କଲିକତାରୁ ଏକ କମ୍ପାନୀ ଠୁ ବ୍ଲାଙ୍କ ଚେକ ଦେଇ ଠକି ଆଣିଥିବା ଅନେକ ଦାମୀ ମେସିନ୍ ମଧ୍ୟ ଲୁଚାଯାଇଥିଲା । ଘଟଣାସ୍ଥଳକୁ ଅଭିଯୋଗକାରୀ ତଥା କଲିକତା ମେସିନ କମ୍ପାନୀର ବିକ୍ରେତା ମଧ୍ୟ ଆସି ନିଜ ଜିନିଷକୁ ଚିହ୍ନଟ କରିଥିଲେ । ଗୁପ୍ତ କୋଠରୀର ଚାବି ରମେଶଙ୍କ ଭାଇଙ୍କ ପାଖରେ ଥାଇ ମଧ୍ୟ ସେ ନଦେବାରୁ ବାଧ୍ୟ ହୋଇ ତାଲା ଭାଙ୍ଗିଥିଲେ ପୋଲିସକର୍ମୀ ।

ସେଠାରେ ଥିବା ମୂଲ୍ୟବାନ ଦ୍ରବ୍ୟକୁ ତର୍ଜମା କରିଥିଲେ । ଘଟଣା ସ୍ଥଳରୁ ରମେଶଙ୍କ ଆଉ ଜଣେ ଭାଇ ଫେରାର ଥିଲେ । ଉମେଶଙ୍କର ମଧ୍ୟ ଘଟଣା ସହ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି ।ଏହି ଠକେଇରେ ଭଉଣୀ ଓ ଭିଣୋଇଙ୍କ ସଂପୃକ୍ତି ଜଣାପଡିଛି । ଭାଇ ବିବାହ କରି ସ୍ତ୍ରୀକୁ ଠକେଇ କରୁଥିବା ବେଳେ ଭଉଣୀ ନଣନ୍ଦ ପୁଟୁଳି ପାଇଁ ଭାଉଜଙ୍କୁ ଚୁନା ଲଗାଉଥିଲା ।