କନକ ବ୍ୟୁରୋ : ରାଜ୍ୟରେ ଆରମ୍ଭ ହେଲା ରେଡ । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚାଲିଛି ମାରାଥନ ରେଡ । ବାଲି, ପଥର, କ୍ରସର ବ୍ୟବସାୟ ସହ ସମ୍ପର୍କ ରଖିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି । ମୋଟା ଅଙ୍କର ଟିକସ ଫାଙ୍କିବା ଅଭିଯୋଗରେ ହୋଇଛି ଏହି ଚଢାଉ । ଏକାସାଙ୍ଗରେ ରାଜ୍ୟର ଗଂଜାମ, ନୟାଗଡ, ଭୁବନେଶ୍ୱର, ସୋର, ଢେଙ୍କାନାଳରେ ଚାଲିଛି ଆଇଟିର ଘନଘନ ଚଢାଉ । ଚର୍ଚ୍ଚା ହେଉଛି ଚଢାଉ କରାଯାଉଥିବା ବ୍ୟକ୍ତିମାନଙ୍କର ରିହିଛି ପଲିଟିକାଲ ଲିଙ୍କ । ଏମାନେ କୁଆଡେ ରାଜନୈତିକ ଦଳକୁ କରନ୍ତି ଫଣ୍ଡିଂ ।

Advertisment

ଗଂଜାମ ଜିଲ୍ଲାର ଜଣାଶୁଣା ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ବ୍ରହ୍ମପୁର ଲୋଡାପଡା ସ୍ଥିତ କାର୍ଯ୍ୟାଳୟ, ଓ କ୍ରସର ୟୁନିଟରେ ଆଇଟି ବିଭାଗ କରିଛି ଚଢାଉ । ବାଲେଶ୍ୱର ଜିଲ୍ଲା ସ୍ୱର ବ୍ଲକ ବିଜେଡି ଉପାଧ୍ୟକ୍ଷ ଭ୍ରମର ଭର ନାୟକଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଆଇଟି ବିଭାଗର ଦୁଇଟି ଟିମ୍ ତାଙ୍କ ବାଗୁଡି ସ୍ଥିତ ଘର, ଖାଦାନ, କଲ୍ୟାଣ ମଣ୍ଡପ ଓ ପେଟ୍ରୋଲ ପମ୍ପରେ ଚଢାଉ କରାଯାଇ ବିଭିନ୍ନ କାଗଜ ପତ୍ରକୁ ଯାଂଚ କରାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଂଚଳରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ତହସିଲ ଅନ୍ତର୍ଗତ ବିଛାଖଣ୍ଡି, ରାହାଡପୁର ଓ ଚଡେଇଧରାର ବିଭିନ୍ନ କ୍ରସର ୟୁନିଟ୍ ଓ ପେଟ୍ରୋଲ ପମ୍ପ ଉପରେ ଚଢାଉ କରାଯାଇଛି । ଆକ୍ରୋଷ ମୂଳକ ହୋଇ ଚଢାଉ କରାଯାଉଥିବାର ଅଭିଯୋଗ ଆଣିଲା ବିଜୁ ଜନତା ଦଳ । ଏହାର ଜବାବ ରଖିଛି ବିଜେପ । ବିଜେପି ରାଜ୍ୟ ସଭାପତି କହିଛନ୍ତି ଯଦି ଭୁଲ କରି ନାହାଁନ୍ତି ତାହାଲେ ଡରୁଛନ୍ତି କାହିିଁକି ।