ବଲାଙ୍ଗୀର ଜନସଭାରେ ରାହୁଲଙ୍କ ଗର୍ଜନ । ବିଜେପିକୁ ଜୋରାଦାର ଟାର୍ଗେଟ୍, ହେଲେ ବିଜେଡି ବିରୋଧରେ ଖୋଲିଲେନି ମୁହଁ

382

କନକ ବ୍ୟୁରୋ: ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଯେତବେଳେ ରାହୁଲ ଗାନ୍ଧୀ, ବଲାଙ୍ଗୀର ସଭାମଞ୍ଚକୁ ଓହ୍ଲାଇଥଲେ, ଲାଗୁଥିଲା ସାଲେପୁର ସଭାରେ ଯେଉଁଠୁ ଛାଡ଼ିଥିଲେ ରାହୁଲ ଗାନ୍ଧୀ, ସେଠୁ ଆରମ୍ଭ କରିବେ । ସାଲେପୁର ଭଳି ବଲାଙ୍ଗୀରରେ ବି ଉଭୟ ମୋଦୀ ଏବଂ ନବୀନ ସରକାରଙ୍କୁ ଟାର୍ଗେଟ୍ କରିବେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବିଜେଡି କିମ୍ବା ରାଜ୍ୟ ସରକାର ବିରୋଧରେ ପଦୁଟିଏ ବି କହିନାହାନ୍ତି । ଅନ୍ୟପଟେ ବିଜେପି ସରକାରଙ୍କୁ ବାଛି ବାଛି ସେଇ ସବୁ ପ୍ରସଙ୍ଗରେ ଟାର୍ଗେଟ୍ କରିଛନ୍ତି ଯେଉଁସବୁ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଛି ।

ମଞ୍ଚକୁ ସମ୍ବିଧାନ ପୁସ୍ତକଟିଏ ଧରି ଆସିଥିବା ରାହୁଲ, ଗରିବ-ଦଳିତ-ଆଦିବାସୀଙ୍କ ସ୍ୱାର୍ଥ ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ କୋଟି କୋଟି ମହିଳାଙ୍କୁ ଲକ୍ଷପତି କରିବ ବୋଲି ଦେଇଛନ୍ତି ଗ୍ୟାରେଣ୍ଟି । ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତ ଗ୍ୟାରେଣ୍ଟି ଦେବା ସହ ଏମଏସପି ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

ଖାଲି ସେତିକି ନୁହେଁ, ବଲାଙ୍ଗୀର ସଭାରୁ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ଆଉ ଦିଲ୍ଲୀରେ ସରକାର ଗଢ଼ିବାର କଥା କହିବା ରାହୁଲଙ୍କ ସବୁଠାରରୁ ବଡ଼ ଜୁମଲା କହି କଟାକ୍ଷ କରିଛନ୍ତି ବିଜେପି ନେତା ସମୀର ମହାନ୍ତି । ସେହିପରି ସଂରକ୍ଷଣ ହଟିବା ନେଇ ରାହୁଲ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ମଧ୍ୟ ସମାଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, ବଲାଙ୍ଗୀରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ ରାହୁଲ ଗାନ୍ଧୀ । କିନ୍ତୁ କଂଗ୍ରେସ ଦଳ ଯେଉଁ ବିଜେଡି ବିରୋଧରେ ଲଢ଼େଇ କରିବ, ସେଇ ଦଳ ବିପକ୍ଷରେ ମୁହଁ ନଖୋଲିବା, ସମସ୍ତଙ୍କୁ ଚକିତ କରିଛି ।