ବେଦବ୍ୟାସ ମନ୍ଦିରରେ ରାହୁଲଙ୍କ ପୂଜାର୍ଚ୍ଚନା । ଚନ୍ଦ୍ରଶେଖର ବାବାଙ୍କର କଲେ ରୁଦ୍ରାଭିଷେକ ।

255

କନକ ବ୍ୟୁରୋ : ବେଦବ୍ୟାସ ମନ୍ଦିରରେ ମହାଦେବଙ୍କ ପୂଜା କରିବା ପରେ ରାଉରକେଲା ଉଦିତନଗର ଏସପି ଅଫିସ୍ ସମ୍ମୁଖରୁ ପଦଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ । ଏହି ପଦଯାତ୍ରା ପାନପୋଷ ଛକରେ ପହଂଚିବ । ସେଠାରେ ରାହୁଲ ଗାନ୍ଧୀ ଉପସ୍ଥିତ ଜନସଧାରଣଙ୍କୁ ସମ୍ବୋଧିତ କରିବେ । ଏହା ପରେ ରାହୁଲ ରାଜଗାଙ୍ଗପୁରର ରାଣୀବନ୍ଧ ନିକଟ ବିର୍ସାମୁଣ୍ଡା ପଡିଆରେ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ରାଣୀବନ୍ଧଠାରୁ ଯାତ୍ରା ଆରମ୍ଭ କରି କୁତ୍ରାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ । ବଡ଼ଗାଁଠାରେ ମଧ୍ୟ ଜନସାଧାରଣକୁ ଉଦବୋଧନ ଦେବେ ରାହୁଲ ଗାନ୍ଧୀ । ବଡ଼ଗାଁରୁ ବାହାରି ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ନ ସାଢେ ୪ଟାରେ ପହଞ୍ଚି ପଦଯାତ୍ରା କରିବେ । ଏହି ପଦଯାତ୍ରା ଷ୍ଟାଡିୟମ୍ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇଯିବ । ସେଠାରୁ ଝାରସୁଗୁଡ଼ା ଅଭିମୁଖେ ଯାଇ ଅମଲିପାଲିଠାରେ ରାହୁଲ ରାତ୍ରିଯାପନ କରିବେ । ଗତକାଲି ରାଉରକେଲା ରାମପାଲରେ ରାତ୍ରିଯାପନ କରିଥିଲେ ରାହୁଲ ଗାନ୍ଧୀ ।

ବେଦବ୍ୟାସ ଶୈବପୀଠକୁ ଯାଇ ସେଠାରେ ମହାଦେବଙ୍କ ଦର୍ଶନ କରିଛନ୍ତି । ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବ୍ର୍ରାହ୍ମଣୀ, ଶଙ୍ଖ ଓ କୋଏଲ ନଦୀର ସଙ୍ଗମ ସ୍ଥଳ ବୁଲି ଦେଖିଲେ ରାହୁଲ ଗାନ୍ଧୀ । ଏହା ପରେ ଚନ୍ଦ୍ରଶେଖର ବାବାଙ୍କ ରୁଦ୍ରାଭିଷେକ କରିଥିଲେ । ଏହା ପରେ ବେଦବ୍ୟାସଙ୍କ ଗୁମ୍ଫାରେ ପୂଜାର୍ଚ୍ଚନା କରିଥିଲେ ରାହୁଲ ଗାନ୍ଧୀ । ଶେଷରେ ବୈଦିକ ଗୁରୁକୂଳ ଆଶ୍ରମର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ପିଲାଙ୍କୁ ଉପଦେଶ ଦେଇ କହିଥିଲେ, ମନକଥା ଶୁଣ, ନିଜ ମନ ଯାହା ଚାହୁଁଛି ତାହା କର ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ ରାହୁଲ । ଗାନ୍ଧୀ ପରିବାରର ପ୍ରଥମ ବ୍ୟକ୍ତି ଭାବେ ରାହୁଲ ଗାନ୍ଧୀ ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।