କନକ ବ୍ୟୁରୋ: ଶେଷରେ କୋର୍ଟରେ ଅପିଲ୍ କରିବେ ରାହୁଲ ଗାନ୍ଧୀ । ସୁରଟ କୋର୍ଟର ଦୁଇ ବର୍ଷର ଦଣ୍ଡାଦେଶକୁ ନେଇ ସାରା ଦେଶରେ କଂଗ୍ରେସ ଆନ୍ଦୋଳନ କରୁଥିବା ବେଳେ ରାହୁଲଙ୍କ ଅପିଲ୍ ତାଙ୍କ ସମର୍ଥକଙ୍କ ମନରେ ଉତ୍ସାହ ବଢାଇଛି । ରାହୁଲଙ୍କ ସଦସ୍ୟତା ରଦ୍ଦକୁ କଂଗ୍ରେସ ଅଗଣତାନ୍ତ୍ରିକ ବୋଲି କହିଛି । ସେପଟେ ଭୁବନେଶ୍ୱରରେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହେବାକୁ ନେଇ ଆନ୍ଦୋଳନ ଜୋରଦାର ହୋଇଛି । ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ସୁର ରାଉତରାୟଙ୍କୁ ଉଠାଇ ନେଇଛି ପୋଲିସ ।

Advertisment

ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ପରେ ଏଭଳି କିଛି ନାରା ଦେଇ ରାଜଧାନୀ ରାଜରାସ୍ତାରେ ଗର୍ଜିଛି କଂଗ୍ରେସ । ରାହୁଲଙ୍କ ପଦ ରଦ୍ଦ ହେବା ଅଗଣତାନ୍ତ୍ରିକ ବୋଲି ଦଳ କହିଛି । ସମ୍ବିଧାନ ଓ ଗଣତନ୍ତ୍ର ବଂଚାଅର ନାରା ଦେଇ ଦଳୀୟ କର୍ମୀ ଓ ନେତା ବିଧାନସଭା ଘେରାଉ କରିବାକୁ ଯାଉଥିଲେ । ଏହି ସମୟରେ ଏଜି ଛକରେ କଂଗ୍ରେସ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି । ଠେଲାପେଲା ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସୁର ରାଉତରାୟଙ୍କୁ ଉଠାଇ ନେଇଥିଲା ପୋଲିସ । କଂଗ୍ରେସର ଏହି ଆନ୍ଦୋଳନରେ ଦଳର ବରିଷ୍ଠ ନେତାଙ୍କ ସମେତ ଅନୁସୂଚିତ ଜାତି, ଜନଜାତି, ଓବିସି ଓ ପଛୁଆ ବର୍ଗ ଭଳି କଂଗ୍ରେସର ଛାମୁଆ ସଂଗଠନ ସାମିଲ ହୋଇଥିଲେ ।

ମୋଦୀ ସାଙ୍ଗିଆକୁ ନେଇ ଆପତିଜନକ ଟିପ୍ପଣୀ ଦେଇଥିଲେ ରାହୁଲ ଗାନ୍ଧୀ । ମାନହାନୀ ମାମଲାରେ ସୁରଟ କୋର୍ଟ ଦ୍ୱାରା ରାହୁଲଙ୍କୁ ୨ ବର୍ଷ କାରାଦଣ୍ଡରେ ଦେଇଛନ୍ତି । ଏହାପରେ ରାହୁଲ ସାଂସଦ ପଦ ହରାଇଛନ୍ତି । ପଦ ରଦ୍ଦ ହେବା ଅଗଣତାନ୍ତ୍ରିକ କହି ସାରା ଦେଶରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜୁଛି । ବିବାଦ ବଢିବା ପରେ ରାହୁଲ ଗାନ୍ଧୀ ସୁରଟର ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି । ସୋମବାର ରାହୁଲ ଗାନ୍ଧୀ ସୁରଟର ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିବେ ବୋଲି ଜଣାପଡିଛି । ଆଉ ରାୟ ଉପରେ ରୋକ୍ ଲଗାଇବାକୁ ଆବେଦନ କରିବେ । ଯଦି ତଳ କୋର୍ଟର ରାୟ ଉପରେ ରୋକ୍ ଲାଗେ ତାହେଲେ ରାହୁଲ ସାଂସଦ ପଦ ଫେରିପାଇବେ ।