ଇଂଲଣ୍ଡକୁ ରାହୁଲଙ୍କ ଚେତାବନୀ । ଆମର ଜଣେ ଖେଳାଳୀଙ୍କୁ ଟାର୍ଗେଟ କଲେ, ଆମର ପୂରା ଟିମ୍ ପ୍ରତିଜବାବ ଦେବ ।

476

କନକ ବ୍ୟୁରୋ : ଇଂଲଣ୍ଡ କ୍ରିକେଟରଙ୍କୁ ରାହୁଲଙ୍କ ଚେତାବନୀ । ଆମର ଜଣେ ଖେଳାଳୀଙ୍କ ପଛରେ ପଡିଲେ, ଆମର ୧୧ ଜଣ ଖେଳାଳୀ ତାର ପ୍ରତିଜବାବ ଦେବୁ । ଲର୍ଡସରେ ଭାରତର ଐତିହାସିକ ବିଜୟ ପରେ ଭାରତୀୟ ଦଳର ଓପନର ବ୍ୟାଟସମ୍ୟାନ୍ କେ.ଏଲ ରାହୁଲଙ୍କ ମୁହଁରୁ କିଛି ଏଭଳି ଶୁଣିବାକୁ ମିଳିଛି । ଲର୍ଡସରେ ଦମଦାର ପ୍ରଦର୍ଶନ ସହ ଏବେ ଟେଷ୍ଟ ସିରିଜରେ ୧-୦ରେ ଆଗରେ ରହିଛି ଟିମ୍ ଇଣ୍ଡିଆ । ତେବେ ଏହି ବିଜୟ ପାଇଁ ଭାରତୀୟ ଖେଳାଳୀଙ୍କୁ ପଡିଆରେ ବେଶ କସରତ କରିବାକୁ ପଡିଛି । ଇଂଲଣ୍ଡ ଖେଳାଳୀଙ୍କ ସ୍ଲେଜିଂ ଆଉ ତା ସାଙ୍ଗକୁ ଚାପରେ ଭାରତୀୟ ଖେଳାଳୀ ଯେଉଁଭଳି ପ୍ରଦର୍ଶନ କଲେ ତାହା ବେଶ ପ୍ରଂଶସନୀୟ ।

ମ୍ୟାଚର ଅନ୍ତିମ ଦିନରେ ଉଭୟ ଭାରତ ଓ ଇଂଲଣ୍ଡ ଖେଳାଳୀଙ୍କ ମଧ୍ୟରେ ବାରମ୍ବାର ସ୍ଲେଜିଂ ଦେଖିବାକୁ ମିଳିଥିଲା । ଇଂଲଣ୍ଡର ଖେଳାଳୀ ବାରମ୍ବାର ସ୍ଲେଜିଂ କରି ଭାରତୀୟ ଖେଳାଳୀଙ୍କ ଧ୍ୟାନ ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ୱିକେଟ ନେବାରେ ବିଫଳ ହେବାରୁ ସ୍ଲେଜିଂ କରିବାକୁ ଆଗେଇ ଆସିଥିଲେ ଇଂଲଣ୍ଡର ଖେଳାଳୀ । ଇଂଲଣ୍ଡର ୱିକେଟକିପର ଜୋସ ବଟଲର ଓ ବୋଲର ମାର୍କ ଉଡ କିଛି କହିବା ସହ ବୁମରାଙ୍କୁ ପଡିଆରେ ସ୍ଲେଜିଂ କରିଥିଲେ । କିନ୍ତୁ ଏହି ସ୍ଲେଜିଂର ଜବାବ ବ୍ୟାଟିଂରେ ଦେଇଥିଲେ ବୁମରା । ଉଭୟ ସାମି-ବୁମରା ଯୋଡି ଇଂଲଣ୍ଡ ବୋଲରଙ୍କୁ ନାକେଦମ କରିଥିଲେ । ୯ମ ୱିକେଟରେ ୮୯ ରନର ପାର୍ଟନରସିପ୍ କରି ଟିମ୍ ଇଣ୍ଡିଆକୁ ସଙ୍କଟଜନକ ସ୍ଥିତିରୁ ଉଦ୍ଧାର କରିଥିଲେ ।

ଏତିକିରେ ସରିନଥିଲା ଏହି ସ୍ଲେଜିଂ ପର୍ବ । ଇଂଲଣ୍ଡ ବ୍ୟାଟିଂ କରିବାକୁ ଆସିବା କ୍ଷଣି ଭାରତୀୟ ବୋଲିଂ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ । ନିଜର ଘାତକ ବୋଲିଂ ବଳରେ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇଥିଲେ । ଏପରିକି ଇଂଲଣ୍ଡର କୌଣସି ଖେଳାଳୀଙ୍କୁ ପଡିଆରେ ବେଶି ସମୟ ତିଷ୍ଠି ରହିବାକୁ ସୁଯୋଗ ଦେଇନଥିଲେ ଭାରତୀୟ ବୋଲର । ଲଗାତାର ୱିକେଟ ହାସଲ କରିବା ସହ ଲର୍ଡସ ମୈଦାନରେ ବଡ ବିଜୟ ଭେଟି ଦେଇଥିଲେ ଭାରତୀୟ ବୋଲର ।

ତେବେ ମ୍ୟାଚ୍ ପରେ ସ୍ଲେଜିଂକୁ ନେଇ ଭାରତୀୟ ବ୍ୟାଟସମ୍ୟାନ କେ.ଏଲ ରାହୁଲ ଏନେଇ ମୁହଁ ଖୋଲିଛନ୍ତି । ରାହୁଲ କହିଛନ୍ତି, ଯେତେବେଳେ ଦୁଇଟି ବଡ ଟିମ୍ ପରସ୍ପରକୁ ଭେଟନ୍ତି ସେତେବେଳେ କିଛି ଏଭଳି ହୋଇଥାଏ । ଆମକୁ ଏଭଳି ସ୍ଲେଜିଂରେ କୌଣସି ଅସୁବିଧା ନାହିଁ, କିନ୍ତୁ ଆମର ଜଣେ ଖେଳାଳୀଙ୍କ ପଛରେ ପ୍ରତିଦ୍ୱନ୍ଦ୍ୱୀ ଟିମର କୌଣସି ଖେଳାଳୀ ପଡିଲେ ଆମର ପୂରା ଟିମ୍ ଏହାର ଜବାବ ଦେବ ।