କନକ ବ୍ୟୁରୋ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଆଉ ଏକ ପରାଜୟ । ରୋମାଂଚକର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୩ ରନରେ ମୁମ୍ବାଇକୁ ପରାସ୍ତ କରିଛି । ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ ଡେଭିଡ୍ ଶେଷ ଆଡ଼କୁ ନିଜର ବିସ୍ଫୋରକ ଇନିଂସ୍ ବଳରେ ମ୍ୟାଚକୁ ନିଜ ଦଳ ସପକ୍ଷରେ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ସେ ତାହା କରିବାରେ ବିଫଳ ହୋଇଥିଲେ ।

Advertisment

ଏହି ବିଜୟ ସହ ହାଇଦ୍ରାବାଦର ପ୍ଲେଅଫ ଆଶା କାଏମ ରହିଛି । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୯୩ ରନ୍ କରିଥିଲା । ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଶେଷ ୧୩ ବଲରେ ୧୯ ରନ୍ ଦରକାର ହେଉଥିଲା । ତେବେ ୧୮ତମ ଓଭରର ଶେଷ ବଲରେ ଡେଭିଡଙ୍କ ରନଆଉଟ୍ ହେବା ହାଇଦ୍ରାବାଦକୁ ମ୍ୟାଚରେ ପ୍ରତ୍ୟାବର୍ତନ କରାଇଥିଲା । ଅଭିଜ୍ଞ ଭୁବନେଶ୍ୱର କୁମାର ୧୯ତମ ଓଭର ମେଡେନ୍ ପକାଇଥିବା ବେଳେ ଶେଷ ଓଭରରେ ମୁମ୍ବାଇ ୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ୭୬ ରନର ଇନିଂସ୍ ଖେଳିଥିବା ରାହୁଲ୍ ତ୍ରିପାଠୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ପ୍ରିୟମ ଗର୍ଗ ୪୨ ଓ ନିକୋଲାସ୍ ପୁରନ୍ ୩୮ ରନର ଯୋଗଦାନ କରିଥିଲେ । ଅନ୍ୟପକ୍ଷରେ ମୁମ୍ବାଇ ଅଧିନାୟକ ରୋହିତ୍ ଶର୍ମା ୪୮ ଓ ଈଶାନ୍ କିଶନ ୪୩ ରନ୍ କରିଥିଲେ । ଡେଭିଡଙ୍କ ୧୮ ବଲରେ ଦ୍ରୁତ ୪୬ ରନ୍ର ଇନିଂସ୍ ବୃଥା ଯାଇଥିଲା । ହାଇଦ୍ରାବାଦ ପକ୍ଷରୁ ଉମରାନ୍ ମଲ୍ଲିକ ୩ଟି ୱିକେଟ୍ ନେଇଥିଲେ ।